ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଢେଙ୍କିକୋଟ ସେକ୍ସନ ଅନ୍ତର୍ଗତ କାଶିବେଡା ଗ୍ରାମରେ ଥମିବାର ନାଁ ଧରୁନି ହାତୀପଲଙ୍କ ଉପଦ୍ରବ। ପ୍ରାୟ ୨୦ଟି ହାତୀଙ୍କ ପଲ ଗତ ୫ ଦିନ ଧରି ଗାଁ ଓ ଚାଷଜମିରେ ଘୁରି ବୁଲୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ବଢ଼ିବାରେ ଲାଗିଛି। ହାତୀପଲ ଏକର ଏକର ଧାନ, ମକା ଓ ବୋଇତାଳୁ ଫସଲ ଖାଇବା ସହ ଦଳିମକଚି ନଷ୍ଟ କରିଛନ୍ତି।ଗତ ବିଳମ୍ବିତ ରାତିରେ ହାତୀପଲ ଗାଁର ମହେନ୍ଦ୍ର ନାୟକ, ରାଧାକାନ୍ତ ନାୟକ ଓ ରତ୍ନାକର ନାୟକଙ୍କ ୩ଟି ଘରର କାନ୍ଥ ଭାଙ୍ଗି ଦେଇଛନ୍ତି। ଘର ଭିତରେ ମହେନ୍ଦ୍ରଙ୍କ ପରିବାର ଶୋଇଥିବା ବେଳେ ହାତୀ କାନ୍ଥ ଭାଙ୍ଗିବାରୁ ଅଳ୍ପକେ ଏକ ବଡ଼ ଅଘଟଣରୁ ପରିବାର ଲୋକେ ବର୍ତ୍ତିଯାଇଛନ୍ତି। ଘରେ ରଖାଯାଇଥିବା ଧାନ ଓ ଚାଉଳ ମଧ୍ୟ ହାତୀ ଖାଇ ଦେଇଥିବା ଜଣାପଡ଼ିଛି।

ସେହିପରି ସନାତନ ବାରିକ, ଦଶରଥ ବାରିକ, ଅଗସ୍ତି ବାରିକ, ଗୋପବନ୍ଧୁ ଘଟଣା ଓ ଜଳଧର ମାଝୀଙ୍କ ସମେତ ବହୁ ଚାଷୀଙ୍କ ଧାନ ଫସଲ ହାତୀପଲଙ୍କ ଉପଦ୍ରବରେ ନଷ୍ଟ ହୋଇଛି। ଫସଲ ନଷ୍ଟ ହେବାରୁ ଚାଷୀଙ୍କ ମୁଣ୍ଡରେ ଚିନ୍ତାର ବୋଝ ବଢ଼ିଛି। ଗାଁ ନିକଟସ୍ଥ ଜଙ୍ଗଲରେ ହାତୀପଲ ଡେରା ପକାଇଥିବାରୁ ସନ୍ଧ୍ୟା ହେଲେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି। କେତେବେଳେ ହାତୀପଲ ଗାଁ ଭିତରକୁ ପଶି ଘରଦ୍ୱାର ଭାଙ୍ଗିଦେବେ, ସେହି ଆଶଙ୍କାରେ ରାତିରେ ଲୋକେ ଆତଙ୍କିତ ହୋଇ ରହୁଛନ୍ତି। ହାତୀ-ମଣିଷ ସଂଘର୍ଷ ଆଶଙ୍କା ମଧ୍ୟ ବଢ଼ିଛି। ତୁରନ୍ତ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା, ଗାଁ ଓ ଚାଷଜମିକୁ ହାତୀଙ୍କ ପ୍ରବେଶ ରୋକିବା ଏବଂ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ହାତୀ ଉପଦ୍ରବରେ ଭାଙ୍ଗିଥିବା ଘର ଓ ନଷ୍ଟ ହୋଇଥିବା ଫସଲର ତୁରନ୍ତ କ୍ଷୟକ୍ଷତି ଆକଳନ କରି ନିୟମାନୁଯାୟୀ କ୍ଷତିପୂରଣ ଦେବାକୁ ଚାଷୀ ଓ କ୍ଷତିଗ୍ରସ୍ତ ପରିବାର ଦାବି କରିଛନ୍ତି।
