ବାରିପଦା /କରଞ୍ଜିଆ ; କରଞ୍ଜିଆ ବ୍ଲକ ଅନ୍ତର୍ଗତ ତାଟୋ ମଝିବଜାର ନିକଟସ୍ଥ ଇଣ୍ଡିକ୍ୟାଶ୍ ଏଟିଏମ୍ କାଉଣ୍ଟରରେ ଲୁଟ୍ ଉଦ୍ୟମ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ମୁହଁ ଢାଙ୍କିଥିବା ଦୁର୍ବୃତ୍ତ ଶାବଳ ସାହାଯ୍ୟରେ ଏଟିଏମ୍ କାଉଣ୍ଟରର ସଟର ତାଡ଼ି ଭିତରକୁ ପଶିବା ସହ ମେସିନ୍ ଭାଙ୍ଗି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ। ତେବେ ମେସିନ୍ ଭାଙ୍ଗିବାରେ ସଫଳ ନହୋଇ ଦୁର୍ବୃତ୍ତ ଖାଲି ହାତରେ ଫେରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ତାଟୋ ମଝିବଜାର ନିକଟରେ ଜ୍ୟୋତିର୍ମୟ ମହାନ୍ତଙ୍କଠାରୁ ଭଡ଼ାରେ ନିଆଯାଇଥିବା ଗୃହରେ ଯଶିପୁର ଅଞ୍ଚଳର ଗୁରୁପ୍ରସାଦ ମହାନ୍ତଙ୍କ ଦ୍ୱାରା ପ୍ରାୟ ୪ ବର୍ଷ ଧରି ଏହି ଇଣ୍ଡିକ୍ୟାଶ୍ ଏଟିଏମ୍ କାଉଣ୍ଟର ଚାଲିଆସୁଛି। ଆଜି ଭୋର ସମୟରେ ମୁହଁ ଢାଙ୍କିଥିବା ଜଣେ ଦୁର୍ବୃତ୍ତ ଶାବଳରେ ସଟର ତାଡ଼ି ଭିତରକୁ ପ୍ରବେଶ କରିଥିଲେ। ପରେ ଏଟିଏମ୍ ମେସିନ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଘଟଣାର ସମସ୍ତ ଦୃଶ୍ୟ ଏଟିଏମ୍ କାଉଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ ହୋଇଛି। ଏନେଇ ଲିଖିତ ଅଭିଯୋଗ ପରେ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ। ପରେ ସାଇଣ୍ଟିଫିକ୍ ଟିମ୍କୁ ଡକାଇ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇଛି। ଏନେଇ କରଞ୍ଜିଆ ଥାନାରେ ୩୨୧/୨୬ ନମ୍ବରରେ ମାମଲା ରୁଜୁ ହୋଇଛି। ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତକୁ ଚିହ୍ନଟ କରିବା ସହ ଗିରଫ କରିବାକୁ ପୁଲିସ ତଦନ୍ତ ଜାରି ରଖିଛି।
