ବାରିପଦା /କରଞ୍ଜିଆ ; କରଞ୍ଜିଆ ଥାନା ପୁଲିସ ମଣ୍ଡୁଆ ଗ୍ରାମ ନିକଟରୁ ଏକ ଟାଟା ଏସ୍ ଗାଡ଼ି ସହ ୪ଟି ଗୋରୁ ଉଦ୍ଧାର କରିଛି। ଉଦ୍ଧାର ଗୋରୁଙ୍କ ମଧ୍ୟରେ ୨ଟି କଳା ଗାଈ, ଗୋଟିଏ ଫିକା ଲାଲ ଗାଈ ଓ ଗୋଟିଏ ଫିକା ରଙ୍ଗର ଷଣ୍ଢ ରହିଛି। ଆଜି ସନ୍ଧ୍ୟାରେ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୯ ତାରିଖ ସକାଳ ପ୍ରାୟ ୯ଟା ୧୫ ମିନିଟ ସମୟରେ ଏସ୍ଆଇ ସୁଧାଂଶୁ ଶେଖର ସେଠୀ ଷ୍ଟାଫଙ୍କ ସହ ଦିବା ପାଟ୍ରୋଲିଂରେ ଥିବାବେଳେ ଏକ ଧଳା ରଙ୍ଗର ଟାଟା ଏସି ଗାଡ଼ିରେ ଗୋରୁ ବୋଝେଇ ହୋଇ ମଣ୍ଡୁଆ ଆଡ଼କୁ ଆସୁଥିବା ଖବର ପାଇଥିଲେ। ଏହାପରେ ପୁଲିସ ଟିମ୍ ମଣ୍ଡୁଆ ଛକ ଅଭିମୁଖେ ଯାଇ ଯାଞ୍ଚ ଆରମ୍ଭ କରିଥିଲେ। ପୁଲିସ ଗାଡ଼ିକୁ ଦେଖି ଗାଡ଼ି ଚାଳକ ଦ୍ରୁତ ଗତିରେ ଗାଡ଼ିକୁ ଏକ ନିର୍ଜନ ରାସ୍ତା ଆଡ଼କୁ ନେଇଯାଇଥିଲା। ପରେ ମାଣ୍ଡୁଆ ଗ୍ରାମ ନିକଟରେ ଗାଡ଼ିକୁ ଛାଡ଼ି ଚାଳକ ଫେରାର ହୋଇଯାଇଥିଲା। ଯାଞ୍ଚ ବେଳେ ଗାଡ଼ି ନମ୍ବର ଓଡି ୦୯ ଏବି ୨୩୬୫ରେ ୪ଟି ଗୋରୁଙ୍କୁ ଅମାନବୀୟ ଓ ନିର୍ଦ୍ଦୟ ଭାବେ ବୋଝେଇ ନିଆଯାଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରେ କିଛି ସମୟ ଅପେକ୍ଷା କରିଥିଲେ ମଧ୍ୟ ଗୋରୁ ପରିବହନର କୌଣସି ମାଲିକ କିମ୍ବା ଦାବିଦାର ଆସିନଥିଲେ। ପରେ ପୁଲିସ ସକାଳ ପ୍ରାୟ ୯ଟା ୫୦ ମିନିଟରେ ଗାଡ଼ି ଓ ୪ଟି ଗୋରୁକୁ ଜବତ କରି ଥାନାକୁ ଆଣିଥିଲା। ଏହି ଘଟଣାକୁ ନେଇ କରଞ୍ଜିଆ ଥାନାରେ କେସ୍ ନମ୍ବର ୩୩୪ ତା. ୦୯.୦୯.୨୦୨୬, ବିଏନ୍ଏସ୍ର ଧାରା ୩୦୩(୨)/୩(୫) ସହ ପ୍ରିଭେନସନ୍ ଅଫ୍ କ୍ରୁଏଲ୍ଟି ଟୁ ଆନିମଲ୍ସ ଆକ୍ଟର ଧାରା ୧୧(୧)(ଏ)/(ଡି)/(ଏଫ୍) ଅନୁଯାୟୀ ମାମଲା ରୁଜୁ ହୋଇଛି। ଫେରାର ଚାଳକ ଓ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଥିବା ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି।
