ନୂଆଦିଲ୍ଲୀ: ପୁଟିନଙ୍କ ସହ ଆଲୋଚନା ବେଳେ କୃଷ୍ଣ ସାଗରରେ ଭାରତୀୟଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଲେ ମୋଦୀ
ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ବେଳେ କୃଷ୍ଣ ସାଗର ଅଞ୍ଚଳରେ ଭାରତୀୟ ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ, ୟୁକ୍ରେନ୍ ସଂଘର୍ଷର ସମାଧାନ ପାଇଁ ଯେକୌଣସି ଶାନ୍ତି ପ୍ରୟାସକୁ ସମର୍ଥନ କରିବାକୁ ଭାରତ ପ୍ରସ୍ତୁତ ବୋଲି ସେ ପୁନର୍ବାର ଦୋହରାଇଥିଲେ। ବର୍ତ୍ତମାନର ବଢୁଥିବା ଭୌଗୋଳିକ-ରାଜନୈତିକ ଅସ୍ଥିରତା ମଧ୍ୟରେ ଉଭୟ ନେତା ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବାକୁ ସହମତ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ “ବ୍ରିକ୍ସ’ ସମ୍ମିଳନୀରେ ଯୋଗଦେବା ପାଇଁ ପୁଟିନଙ୍କ ତିନିଦିନିଆ ନୂଆଦିଲ୍ଲୀ ଗସ୍ତର କିଛି ଘଣ୍ଟା ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଲୋଚନା ପରେ, ଉଭୟ ନେତା ଏକ ବ୍ୟବସାୟିକ ଫୋରମ୍?ର ସ୍ଥଳକୁ ଯିବା ପାଇଁ “ଭାରତ ମଣ୍ଡପମ୍’ ପରିସର ମଧ୍ୟରେ ଗୋଟିଏ ଗାଡ଼ିରେ ଯାତ୍ରା କରିଥିଲେ। ବିଭିନ୍ନ କ୍ଷେତ୍ରରେ ଗଭୀର ସହଯୋଗ ବଜାୟ ରଖିବା ପାଇଁ ନିଜର ଦୃଢ଼ ସଂକଳ୍ପ ପ୍ରକାଶ କରି, ଉଭୟ ନେତା “ଭାରତ-ରୁଷ ସ୍ୱତନ୍ତ୍ର ଓ ବିଶେଷାଧିକାରପ୍ରାପ୍ତ ରଣନୈତିକ ଭାଗୀଦାରୀ’କୁ ଆହୁରି ମଜବୁତ କରିବା ଦିଗରେ କାର୍ଯ୍ୟ ଜାରି ରଖିବାକୁ ସହମତ ହୋଇଥିଲେ। ଭାରତୀୟ ପକ୍ଷରୁ ଜାରି ବିବରଣୀ ଅନୁଯାୟୀ, ଏହି ଭାଗୀଦାରୀ “ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିବା ସହ ଭୌଗୋଳିକ-ରାଜନୈତିକ ଅନିଶ୍ଚିତତା ସତ୍ତ୍ୱେ ନିଜର ଦୃଢ଼ତା ପ୍ରଦର୍ଶନ କରିଛି’।
