ନୂଆଦିଲ୍ଲୀ: ୧୮ତମ ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ୍ଙ୍କ ସହ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ସେ ଜଳପଥରେ ମୁକ୍ତ ଚଳାଚଳ ଓ ବାଣିଜ୍ୟ ତଥା ନାବିକମାନଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଏବଂ ପଶ୍ଚିମ ଏସିଆରେ ଘଟୁଥିବା ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ମତ ବିନିମୟ କରିଥିଲେ। ବର୍ତ୍ତମାନ ଏହି ଅଞ୍ଚଳ ସଂଘର୍ଷ ଏବଂ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ “ଷ୍ଟ୍ରେଟ୍ ଅଫ୍ ହରମୁଜ୍’ରେ ବାଧା ସୃଷ୍ଟି ହେବା କାରଣରୁ ଘୋର ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଭାରତର ସେହି ସ୍ଥିର ଆଭିମୁଖ୍ୟକୁ ପୁନର୍ବାର ଦୋହରାଇଥିଲେ ଯେ ସମସ୍ତ ସମସ୍ୟାର ସମାଧାନ ଆଲୋଚନା ଏବଂ କୂଟନୈତିକ ଉପାୟରେ ହେବା ଆବଶ୍ୟକ। ସେ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ସହ ଜଳପଥରେ ମୁକ୍ତ ଚଳାଚଳ ଓ ବାଣିଜ୍ୟ ତଥା ନାବିକମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସାମ୍ପ୍ରତିକ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପେଜେଶକିଆନ୍ଙ୍କ ମଧ୍ୟରେ ଏହା ଥିଲା ଦ୍ୱିତୀୟ ବୈଠକ। ଏହା ପୂର୍ବରୁ ଉଭୟ ନେତା ଅଗଷ୍ଟ ୩୧ ତାରିଖରେ ବିଶକେକ୍ ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ସମୟରେ ସାକ୍ଷାତ କରିଥିଲେ।
