ନୂଆଦିଲ୍ଲୀ: ଶୁକ୍ରବାର ଅପରାହ୍ନରେ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଆଲାଏନ୍ସ ଏୟାରର ଏକ ବିମାନ ଇଞ୍ଜିନ୍ ବିଫଳତା ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଆଲାଏନ୍ସ ଏୟାରର ଜଣେ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ଇଞ୍ଜିନିୟରମାନଙ୍କ ଏକ ଦଳ ଦ୍ୱାରା ଏହାର ତଦନ୍ତ କରାଯାଉଛି। ଏହି ଏୟାରଲାଇନ୍ସ ” ଏଟିଆର ୭୨-୬୦୦’ (ଏକ ଦୁଇ-ଇଞ୍ଜିନ୍ ବିଶିଷ୍ଟ ଟର୍ବୋପ୍ରୋପ୍ ବିମାନ) ବ୍ୟବହାର କରି ପ୍ରୟାଗରାଜରୁ ଦେଶର ରାଜଧାନୀକୁ ଫ୍ଲାଇଟ୍ ୯ଓ ୬୯୮ ପରିଚାଳନା କରୁଥିଲା। ସୂତ୍ର ଅନୁଯାୟୀ, ବିମାନରେ ପ୍ରାୟ ୪୪ ଜଣ ଲୋକ ଥିଲେ ଏବଂ ଗୋଟିଏ ଇଞ୍ଜିନ୍ ଅଚଳ ହୋଇଯିବା ପରେ ଏହା ଜରୁରୀକାଳୀନ ଅବତରଣ କରିଥିଲା। ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ ବିମାନଟି ବିଳାସପୁର -ପ୍ରୟାଗରାଜ-ଦିଲ୍ଲୀ ରୁଟ୍ରେ ଚାଲୁଥିଲା। “ଦିଲ୍ଲୀ ଅଭିମୁଖେ ଆସୁଥିବା ସମୟରେ, ବାମ ପାର୍ଶ୍ୱ ଇଞ୍ଜିନ୍ରେ ତେଲ ଚାପ କମ୍ ଥିବାରୁ ମୁଖ୍ୟ ପାଇଲଟ୍ ଅଗ୍ରାଧିକାର ଭିତ୍ତିରେ ଅବତରଣ ପାଇଁ ଅନୁରୋଧ କରିଥିଲେ। ଫ୍ଲାଇଟ୍ କ୍ରୁ (ଚାଳକ ଦଳ) ଦ୍ୱାରା କୌଣସି ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇନଥିଲା। ଏହି ବିମାନରେ ୪୦ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟ ଥିଲେ। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀ ସୁରୁଖୁରୁରେ ବିମାନରୁ ଓହ୍ଲାଇଥିଲେ ବୋଲି ମୁଖପାତ୍ର କହିଛନ୍ତି।
