ଖପ୍ରାଖୋଲ: ବୋଲବମ ପାଇଁ ରବିବାର ହରିଶଙ୍କରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ, ଏହି ଭିଡ଼କୁ ସୁଯୋଗ କରି କିଛି ଦୁର୍ବୃତ୍ତ ଖୋଲାଖୋଲି ଜୁଆ ଖେଳ ଚଳାଇଥିବା ଅଭିଯୋଗ ଆସିଛି। ହଜାର ହଜାର କାଉଡ଼ିଆ ଶ୍ରଦ୍ଧା ଓ ଭକ୍ତିର ସହ ହରିଶଙ୍କରରେ ପହଞ୍ଚିଥିବା ବେଳେ, ପବିତ୍ର ପରିବେଶକୁ ଆଡ଼ କରି ଜୁଆ ଆସର ଚଳାଇବା ଘଟଣା ଅନେକ ପ୍ରଶ୍ନ ଉଠାଇଛି। ଭକ୍ତିର ଭିଡ଼ ନା ଦୁର୍ବୃତ୍ତଙ୍କ ପାଇଁ ସୁଯୋଗ? ଶ୍ରଦ୍ଧାଳୁମାନେ ଦୂରଦୂରାନ୍ତରୁ ଆସି ପବିତ୍ର ହରିଶଙ୍କର ମନ୍ଦିରରେ ଜଳାଭିଷେକ କରିବାକୁ ଧାଡ଼ି ଲଗାଉଥିବା ବେଳେ, ସେହି ସମୟରେ ଜୁଆ ଖେଳ ଚାଲିବା ପ୍ରଶାସନର ନଜରଦାରିକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ଏତେ ଭିଡ଼ ମଧ୍ୟରେ ଦୁର୍ବୃତ୍ତମାନେ ଏଭଳି ଭାବେ ଜୁଆ ଖେଳାଇବାକୁ ସାହସ କଲେ କିପରି—ତାହା ଏବେ ବଡ଼ ପ୍ରଶ୍ନ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏଭଳି କାର୍ଯ୍ୟକଳାପ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସୁରକ୍ଷା ଓ ବିଶୃଙ୍ଖଳାର ଆଶଙ୍କା ବଢ଼ୁଛି।

ପବିତ୍ର ଧାର୍ମିକ ସ୍ଥଳକୁ ଭକ୍ତି ଓ ଆଧ୍ୟାତ୍ମିକତାର କେନ୍ଦ୍ର ଭାବେ ରଖିବା ପରିବର୍ତ୍ତେ ଯଦି ଜୁଆଡ଼ି ଓ ଦୁର୍ବୃତ୍ତଙ୍କ ଆଡ଼ାରେ ପରିଣତ କରାଯାଏ, ତେବେ ଏହାଠାରୁ ଲଜ୍ଜାଜନକ ଘଟଣା ଆଉ କ’ଣ ହୋଇପାରେ ? ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜୁଆ ଖେଳରେ ସମ୍ପୃକ୍ତ ଲୋକମାନେ ଫେରାର ହୋଇଯାଇଥିଲେ। ତେବେ ଏତେ ବଡ଼ ଭିଡ଼ ସମୟରେ ଏଭଳି ଅବୈଧ କାର୍ଯ୍ୟକଳାପ କିପରି ଚାଲିଲା ଏବଂ ଏହା ପଛରେ କାହାର ପ୍ରୋତ୍ସାହନ ବା ସହଯୋଗ ରହିଛି କି ନାହିଁ, ତାହାର ନିରପେକ୍ଷ ତଦନ୍ତ ଆବଶ୍ୟକ।ଭକ୍ତଙ୍କ ଆସ୍ଥା ସହ ଖେଳ ନୁହେଁ, ହରିଶଙ୍କରରେ ଦରକାର କଡ଼ା ନଜରଦାରି ଓ ଜୁଆ ବିରୋଧରେ ଶୂନ୍ୟ ସହନଶୀଳତା।
