ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ପାଇଁ ଏକ ବଡ଼ ଝଟକା ସାମ୍ନାକୁ ଆସିଛି। ଦଳର ତିନି ଜଣ ନେତା ସୋମବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ, ଦଳରୁ ନିଲମ୍ବିତ ହୋଇଥିବା ଆପ୍ ବିଧାୟକ ତଥା ପୂର୍ବତନ ଆଇପିଏସ୍ ଅଧିକାରୀ କୁଅଁର ବିଜୟ ପ୍ରତାପ ସିଂହ ପଞ୍ଜାବ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ଅମୃତସର ଉତ୍ତର ଆସନରୁ ବିଧାୟକ ଥିବା ସିଂହ ଫେସବୁକରେ ଏକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ଯେ ସେ ବିଧାନସଭା ବାଚସ୍ପତି କୁଲତାର ସିଂହ ସାନ୍ଧୱାନଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସିଂହଙ୍କ ସହ ପଞ୍ଜାବର ଅନ୍ୟ ଦୁଇ ବିଧାୟକ ଚେତନ ସିଂହ ଜୋରାମାଜରା ଏବଂ ହରମୀତ ସିଂହ ପଠାନମାଜରା ମଧ୍ୟ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ରବିବାର ଦିନ ପଟିଆଲା ଜିଲ୍ଲାର ସମାନାରୁ ବିଧାୟକ ଚେତନ ସିଂହ ଜୋରାମାଜରା ଏବଂ ସାନୌରରୁ ବିଧାୟକ ହରମୀତ ସିଂହ ପଠାନମାଜରା ମଧ୍ୟ ଆପ୍ରୁ ଇସ୍ତଫା ଦେଇଥିଲେ। ଏହି ଅବସରରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତଥା ପଞ୍ଜାବ ଦାୟିତ୍ୱରେ ଥିବା ସତୀଶ ପୁନିଆ, ସହ-ଦାୟିତ୍ୱରେ ଥିବା ବୀରେନ୍ଦ୍ର ସଚଦେବା ଏବଂ ବିଜେପି ପଞ୍ଜାବ ୟୁନିଟ୍ ସଭାପତି କେୱାଲ ସିଂହ ଢିଲ୍ଲୋନ ଉପସ୍ଥିତ ଥିଲେ। ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସତୀଶ ପୁନିଆ ଏହି ତିନି ଜଣ ବିଦ୍ରୋହୀ ଆପ୍ ନେତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ ସେମାନଙ୍କର ରାଜନୈତିକ, ସାମାଜିକ ଏବଂ ପ୍ରଶାସନିକ ପୃଷ୍ଠଭୂମି’ ଦଳକୁ ମଜବୁତ କରିବ ଏବଂ ପଞ୍ଜାବରେ ଦଳର ବିଜୟ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ।
