ହିନ୍ଦୋଳ: ଜଣେ ଅବସରପ୍ରାପ୍ତ ସେନା ଅଫିସରଙ୍କର ସଇତାନ୍ ବୁଦ୍ଧିକୁ ନେଇ ଏବେ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନା ଅନୁଯାୟୀ ହିନ୍ଦୋଳ ଏନ୍ଏସିର ଚରଣପୁରଠାରେ ଏକ ଫାର୍ମ୍ ପରିସରରେ ହାତୀକୁ ମାରି ପୋତିଦେବା ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବନବିଭାଗ, ପୁଲିସ୍ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସତର୍କତାର ସହ ମାଟିଖୋଳି ହାତୀର ମୃତଦେହ ବାହାର କରାଯାଇଥିଲା। ଏବଂ ବ୍ୟବଚ୍ଛେଦ ପରେ ପୁଣି ପୋତି ଦିଆଯିବା ସହ ଘଟଣାର ତଦନ୍ତ କରାଯାଇ ଫାର୍ମ୍ ମାଲିକଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ତେବେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ବହୁ ଘଟଣା ଲୋକଲୋଚନକୁ ଆସିଛି। ହାତୀ ଶବ ପୋତାଯାଇଥିବା ଫାର୍ମ୍ ପରିସରରେ ଗଞ୍ଜେଇ ଗଛ ଲଗାଯାଇ ଅତି ଯତ୍ନର ସହ ତାକୁ ବଢାଯାଉଥିଲା। ଏପରିକି ଜଙ୍ଗଲଜମି ମାଡି ବସିଥିବା ମଧ୍ୟ ନଜରକୁ ଆସିଛି। ଯାହାକି ବନବିଭାଗ ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନେ ବଡ଼ବଡ଼ ରାଜନେତାଙ୍କ ଛତ୍ରଛାୟାତଳେ ଥିବାରୁ ଆଗକୁ ଗଳାବାଟଦେଇ ଖସିଯିବେ ନାହିଁ ତ, ତାକୁ ନେଇ ପରିବେଶବିତ୍ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି। କିନ୍ତୁ ଦୀର୍ଘଦିନଧରି ଜଙ୍ଗଲଜମି ଅକ୍ତିଆରକରି ରଖିଥିଲେ ମଧ୍ୟ କିପରି ରାଜସ୍ୱବିଭାଗ ଏବଂ ବନବିଭାଗ ଜାଣିପାରିନଥିଲା। ନା ସବୁକିଛି ଜାଣି ଅହେତୁକ ଅନୁକମ୍ପା ଦେଖାଇଥିଲେ ତାକୁନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି। ଫାର୍ମରେ ବେଆଇନ୍ ଭାବେ ଗଞ୍ଜେଇ ଚାଷ କାରବାର ଚାଲିଥିଲେ ମଧ୍ୟ କିପରି ଅବକାରୀ ବିଭାଗ ଏବଂ ପୁଲିସ୍ ଚୁପ୍ ରହିଥିଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବନବିଭାଗର ଉଚ୍ଚପଦାଧିକାରୀ ନିଜମୁଣ୍ଡରୁ ଦୋଷ ଖସାଇବାକୁଯାଇ ସ୍ଥାନୀୟ ଫରେଷ୍ଟରଙ୍କୁ ନିଲମ୍ବିତ କରିଥିବାବେଳେ ରେଞ୍ଜର ହିନ୍ଦୋଳଙ୍କୁ କାରଣଦର୍ଶାଅ ନୋଟିସ୍ କରିଛନ୍ତି। କିନ୍ତୁ ଅନ୍ୟ ବିଭାଗର ଉଚ୍ଚପଦାଧିକାରୀମାନେ କାହିଁକି ସେମାନଙ୍କ ବିଭାଗର ସ୍ଥାନୀୟ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ତାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।
