ନୂଆଦିଲ୍ଲୀ:ରବିବାର ଦିନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସୂଚନା ଦେଇଛି ଯେ, ମହାଦେବ ଆପ୍ ବେଆଇନ ବେଟିଂ (ଜୁଆ) କାରବାରର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ଭାରତ ଅଣାଯାଇଛି। ସୋମବାର ଦିନ ତାଙ୍କୁ ଛତିଶଗଡ଼ର ରାୟପୁର ସ୍ଥିତ ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ। ଏହି ଘଟଣାର ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଅଭିଷେକ କୁମାରଙ୍କୁ ସିବିଆଇ ଗିରଫ କରିବାର ଏକ ମାସରୁ ଅଧିକ ସମୟ ପରେ ଏହି ନୂତନ ଘଟଣାକ୍ରମ ସାମ୍ନାକୁ ଆସିଛି। ଅଭିଷେକ ଦୁବାଇରୁ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ସିବିଆଇ ଅନୁଯାୟୀ, ଚନ୍ଦ୍ରାକର ଦୁଇଟି ମାମଲାରେ ଲୋଡ଼ା ଅଭିଯୁକ୍ତ (ୱାଣ୍ଟେଡ୍) ଥିଲେ ଏବଂ ଏହି ମାମଲାଗୁଡ଼ିକରେ ପୂର୍ବରୁ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇସାରିଛି। ଏହା ବ୍ୟତୀତ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଭାରତ ବାହାରୁ କାର୍ଯ୍ୟ କରୁଥିବା ଫେରାର ଅଭିଯୁକ୍ତଙ୍କ ବିରୋଧରେ ଚନ୍ଦ୍ରାକରଙ୍କ ପ୍ରତ୍ୟର୍ପଣକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସିବିଆଇ ବର୍ଣ୍ଣନା କରିଛି। ଛତିଶଗଡ଼ ସରକାରଙ୍କ ଅନୁରୋଧ କ୍ରମେ ଏହି ମାମଲାର ତଦନ୍ତ କରୁଥିବା ସିବିଆଇ କହିଛି ଯେ, ମହାଦେବ ଅନଲାଇନ୍ ବୁକ୍ ଦେଶର ଅନ୍ୟତମ ବୃହତ୍ତମ ବେଆଇନ ଅନଲାଇନ୍ ବେଟିଂ ନେଟୱାର୍କ ଥିଲା, ଯାହା ଭାରତ ବାହାରୁ ପରିଚାଳିତ ହେଉଥିଲା। ଏହା କ୍ରିକେଟ୍, ଫୁଟବଲ୍, ତାସ୍ ଖେଳ ଏବଂ ଅନ୍ୟାନ୍ୟ ଇଭେଣ୍ଟ ଉପରେ ବେଆଇନ ବେଟିଂର ସୁଯୋଗ ଦେଉଥିଲା। ଏଥିପାଇଁ ସାରା ଭାରତରେ ପ୍ୟାନେଲ୍ ଏବଂ ଶାଖାର ଏକ ନେଟୱାର୍କ କାର୍ଯ୍ୟ କରୁଥିଲା, ଯାହା ମାଧ୍ୟମରେ ଉପଭୋକ୍ତାମାନଙ୍କୁ ଯୋଡ଼ା ଯାଉଥିଲା ଏବଂ ସେମାନଙ୍କଠାରୁ ବାଜି ଟଙ୍କା (ଷ୍ଟେକ୍) ସଂଗ୍ରହ କରାଯାଉଥିଲା। ସିବିଆଇ ଏକ ବିବୃତ୍ତିରେ କହିଛି, ଏହି ବେଆଇନ ବେଟି ଚନ୍ଦ୍ରକରଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ବିବରଣୀ ପ୍ରଦାନ କରି ଏଜେନ୍ସି କହିଛି ଯେ ତାଙ୍କୁ ରୟାଲ୍ ଓମାନ ପୋଲିସ ଅଟକ ରଖିଛି, ଏହା ସହିତ ସିବିଆଇ ଏବଂ ଇଡି ଓମାନକୁ ଆନୁଷ୍ଠାନିକ ପ୍ରତ୍ୟର୍ପଣ ପ୍ରସ୍ତାବ ପଠାଇଛି। କେନ୍ଦ୍ର ଏବଂ ଇଣ୍ଟରପୋଲ୍ ନ୍ୟାସନାଲ୍ ସେଣ୍ଟ୍ରାଲ୍ ବ୍ୟୁରୋ ସହିତ ସମନ୍ୱୟ ରଖି ଏହି ଅନୁରୋଧକୁ ଅନୁସରଣ କରାଯାଇଥିଲା। ସିବିଆଇ ଓମାନ ସରକାର ଏବଂ ରୟାଲ୍ ଓମାନ ପୋଲିସ ଦ୍ୱାରା ପ୍ରଦାନ କରାଯାଇଥିବା ସହଯୋଗକୁ କୃତଜ୍ଞତାର ସହିତ ସ୍ୱୀକାର କରେ, ଯାହା ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଆନ୍ତଃରାଷ୍ଟ୍ରୀୟ ସଂଗଠିତ ଅପରାଧ ମୁକାବିଲା ପାଇଁ ସେମାନଙ୍କର ମିଳିତ ସଂକଳ୍ପକୁ ପ୍ରତିଫଳିତ କରେ ବୋଲି ସିବିଆଇ କହିଛି, ଟ୍ରାନ୍ଜିଟ୍ ରିମାଣ୍ଡ ପାଇବା ପରେ ଚନ୍ଦ୍ରକରଙ୍କୁ ରାୟପୁର ନିଆଯାଇଛି।
