କୋଲକାତା: ସୋମବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, କେନ୍ଦ୍ରୀୟ କୋଲକାତାର ଐତିହାସିକ ରାଇଟର୍ସ ବିଲ୍ଡିଂ ପଛପଟେ ଥିବା ଏକ ବହୁତଳ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅତିକମରେ ୧୦ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା। ଲାୟନ୍ସ ରେଞ୍ଜ ନାମକ ଏହି କୋଠାରେ ଅନେକ କମ୍ପାନୀର କାର୍ଯ୍ୟାଳୟ ରହିଛି, କିନ୍ତୁ ଏଥିରେ କୌଣସି ଜୀବନହାନି ହୋଇଥିବା ନେଇ କୌଣସି ଖବର ମିଳିନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ଜଣେ ଦମକଳ ଅଧିକାରୀଙ୍କ କହିବା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଲାଗିଥିବା ଏହି ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି ଏବଂ ଏହାକୁ ଅନ୍ୟତ୍ର ବ୍ୟାପିବାରୁ ରୋକାଯାଇଛି। ବର୍ତ୍ତମାନ ଅଗ୍ନିକାଣ୍ଡ ସ୍ଥାନରେ କୁଲିଂ ପ୍ରୋସେସ୍ ଚାଲିଛି। ରବିବାର ରାତିରେ ସ୍ଥାନୀୟ ଲୋକମାନେ କୋଠାର ଉପର ମହଲାରୁ ନିଆଁର ଶିଖା ଏବଂ ଘନ କଳା ଧୂଆଁ ବାହାରୁଥିବା ଦେଖି ଦମକଳ ବିଭାଗକୁ ଖବର ଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପୂର୍ବତନ ସଚିବାଳୟ ରାଇଟର୍ସ ବିଲ୍ଡିଂ ନିକଟରେ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା; ଉଲ୍ଲେଖଯୋଗ୍ୟ ଯେ, ଏହି ଐତିହାସିକ କୋଠାରେ ଏବେ ମଧ୍ୟ କିଛି ସରକାରୀ ବିଭାଗ କାର୍ଯ୍ୟ କରୁଛି। ଅଗ୍ନିକାଣ୍ଡର କାରଣ ଏବଂ ଏହା କିପରି ବ୍ୟାପିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ଦମକଳ ବିଭାଗର କର୍ମଚାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହାର ତିନି ଦିନ ପୂର୍ବେ ସାଉଥ୍ ସିଟି ମଲ୍ ନିକଟସ୍ଥ ଏକ ଆପାର୍ଟମେଣ୍ଟ କମ୍ପେ୍ଲକ୍ସର ଷ୍ଟୋର ରୁମ୍?ରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା, ଯାହାକୁ ୭ଟି ଦମକଳ ଗାଡ଼ି ସାହାଯ୍ୟରେ ନିୟନ୍ତ୍ରଣ କରାଯାଇଥିଲା।
