ଆସିକା: ଆସିକା କଳିଙ୍ଗ ରୋଡ୍ ସ୍ଥିତ ଓଁ ଶାନ୍ତି ନଗର ସାହିରେ ଜଣେ ୭୪ ବର୍ଷୀୟ ବୃଦ୍ଧାଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର ଲୁଟ୍? ଅଭିଯୋଗ ହୋଇଛି। ଘରେ କେହି ନଥିବା ସୁଯୋଗ ନେଇ ଜଣେ ଅଜଣା ଦୁର୍ବୃତ୍ତ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିବା ସହ ତାଙ୍କ ବେକରେ ଥିବା ସୁନା ପତ୍ରିମାଳ ଝାମ୍ପି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟା ସମୟରେ ପଞ୍ଚାନନ ଜେନାଙ୍କ ଘରେ ତାଙ୍କ ୭୪ ବର୍ଷୀୟ ମା’ ଏକୁଟିଆ ଥିଲେ। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଘରେ ପ୍ରବେଶ କରି ବୃଦ୍ଧାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତ ଜଣକ ବୃଦ୍ଧାଙ୍କ ହାତଗୋଡ଼ ମୋଡ଼ିବା ସହ ତାଙ୍କ ସହ ଟଣାଓଟରା କରିଥିଲା।

ପରେ ତାଙ୍କ ବେକରେ ଥିବା ସୁନା ପତ୍ରିମାଳ ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।ଘଟଣା ପୂର୍ବରୁ ଦୁର୍ବୃତ୍ତର ଚଳପ୍ରଚଳ ଘର ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି। ଏନେଇ ପରିବାର ପକ୍ଷରୁ ଆସିକା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍? ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ପରିବାର ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ତଦନ୍ତ ପରେ ଲୁଟ୍? ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।
