ଝୁନଝୁନୁ: ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ସୋମବାର ଦିନ ଏକ ରାସ୍ତା ନିର୍ମାଣ ମେସିନ୍ ଉପରେ ଥିବା ୧୧,୦୦୦ ଭୋଲ୍ଟ ବିଶିଷ୍ଟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଅନ୍ତତଃ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଅଧିକାରୀମାନେ କହିଛନ୍ତି ଯେ, ଉଚ୍ଚ ବିଦ୍ୟୁତ୍ ଚାଳିତ ତାର ସଂସ୍ପର୍ଶରେ ଆସିବା ମାତ୍ରେ ରାସ୍ତା ନିର୍ମାଣରେ ବ୍ୟବହୃତ ମିଶ୍ରଣ ଯନ୍ତ୍ର ବିଦ୍ୟୁତ୍ଯୁକ୍ତ ହୋଇଯାଇଥିଲା। ଫଳରେ ୫ ଜଣ ଶ୍ରମିକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। କଦମ କୁଣ୍ଡ ନିକଟସ୍ଥ ଛାପୋଲି ଗ୍ରାମରେ ଏକ ସାମୁଦାୟିକ ରାସ୍ତା ନିର୍ମାଣ ପ୍ରକଳ୍ପ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଜିଲ୍ଲାପାଳ ଅରୁଣ ଗର୍ଗ କହିଛନ୍ତି ଯେ ଆହତମାନଙ୍କର ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେ କହିଲେ, ପ୍ରାଥମିକ ଆକଳନ ଅନୁଯାୟୀ, ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଏହି ରାସ୍ତା ନିର୍ମାଣ କରାଯାଉଥିଲା ଏବଂ କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ଉପରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିବା ବେଳେ, ଅନେକ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଜିଲ୍ଲାପାଳଙ୍କଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଏବଂ ଆହତମାନଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ “ଏକ୍ସ’ ରେ ପୋଷ୍ଟ କରି କହିଛନ୍ତି, ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା, ପ୍ରଭାବିତ ପରିବାରବର୍ଗଙ୍କୁ ସେ ରାଜ୍ୟ ସରକାରଙ୍କୁ ମୃତକଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ସମ୍ଭବପର ସମସ୍ତ ସହାୟତା ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଝାବର ସିଂ ଖାରରାଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଏବଂ ଏହି ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସମ୍ଭବପର ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଶକ୍ତି ମନ୍ତ୍ରୀ ହୀରାଲାଲ ନାଗର ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବର୍ଣ୍ଣନା କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଘଟଣାସ୍ଥଳକୁ ଯାଇ ଦୁର୍ଘଟଣାର କାରଣ ଅନୁସନ୍ଧାନ କରିବା ପାଇଁ ବୈଷୟିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଲେ, ଯଦି କୌଣସି ବିଭାଗୀୟ କିମ୍ବା ବୈଷୟିକ ତ୍ରୁଟି ଧରାପଡ଼େ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ଥାନୀୟ ବିଧାୟକ ଭଗବାନାରାମ ସୈନି ଏହି ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ମଧ୍ୟ ଦୁର୍ଘଟଣାସ୍ଥଳ ଅଭିମୁଖେ ଯାଉଥିବା କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏହା ସହିତ ସେ ରାଜ୍ୟ ସରକାରଙ୍କୁ ମୃତକଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ସମ୍ଭବପର ସମସ୍ତ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
