ବାରିପଦା; ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ୫୩ ନମ୍ବର ରାଜ୍ୟ ରାଜପଥର ଶାତକୋଶିଆ ନାକଝରୀ ନାଳ ନିକଟରେ ଗୁରୁବାର ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଚଳନ୍ତା ଅଟୋକୁ ବିପରୀତ ଦିଗରୁ ଆସୁଥିବା ଏକ ଥାର ଗାଡ଼ି ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଧୀନ ପଣଶଡିହା ପଞ୍ଚାୟତ ସିକାବେଡ଼ା ଅଞ୍ଚଳର କିଛି ଶ୍ରମିକ ଏକ ଅଟୋ ଯୋଗେ ଆନନ୍ଦପୁର ଅଞ୍ଚଳକୁ ଧାନ ରୋଇବା କାମ ପାଇଁ ଯାଇଥିଲେ। କାମ ଶେଷ କରି ସମସ୍ତେ ଅଟୋ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଶାତକୋଶିଆ ନାକଝରୀ ନାଳ ନିକଟରେ ଠାକୁରମୁଣ୍ଡା ପଟୁ ଆନନ୍ଦପୁର ଦିଗକୁ ଆସୁଥିବା ଏକ ଥାର ଗାଡ଼ି ଅଟୋକୁ ଜୋରଦାର ଧକ୍କା ଦେଇଥିଲା। ଥାର ଗାଡ଼ିର ଧକ୍କା ଏତେ ତୀବ୍ର ଥିଲା ଯେ ଅଟୋରେ ବସିଥିବା ଶ୍ରମିକମାନେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ଲତିକା କୁମକାଲ (୪୫) ନାମକ ଜଣେ ମହିଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୧୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଆହତମାନଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଖବର ପାଇ ମହୁଲଡ଼ିହା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଓ ଥାର ଗାଡ଼ିର ଚାଳକ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି।
