ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିକାବାଡ଼ି ଗ୍ରାମରେ ଏକ ଭୟଙ୍କର ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ କଥାବାର୍ତ୍ତା ଓ ବଚସାରୁ ଉତ୍ତେଜନା ପ୍ରକାଶ ପାଇ ଗୁଳିଚାଳନା ପର୍ଯ୍ୟନ୍ତ କଥା ଯାଇଥିବା ବେଳେ, ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକଜଣକ ହେଉଛନ୍ତି କାଳିକାବାଡ଼ି ଗ୍ରାମର ତୋଫାନ କୁମାର ପାହାଳ। ତାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଗ୍ରାମର ଜଣେ ବ୍ୟକ୍ତିଙ୍କର କୌଣସି ସମସ୍ୟା ଥିବାରୁ ତାହାର ସମାଧାନ ପାଇଁ ଗ୍ରାମର କିଛି ଲୋକ ଏକାଠି ହେଉଥିଲେ। ଏହି ସମୟରେ ଗ୍ରାମର ବୁଲୁ ପାହାଳ ନାମକ ଜଣେ ଯୁବକ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ତୋଫାନ ପାହାଳ ଏବଂ ବୁଲୁ ପାହାଳଙ୍କ ମଧ୍ୟରେ ପାଟିତୁଣ୍ଡ ଓ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେବାରୁ ବୁଲୁ ଉତ୍ୟକ୍ତ ହୋଇ ତୋଫାନଙ୍କ ଉପରକୁ ଗୁଳିଚାଳନା କରିଥିଲେ।ଗୁଳି ବାଜିବା ପରେ ତୋଫାନ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି।
ଖବର ପାଇ ବ୍ରହ୍ମଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
