ଦୁବାଇ: ଗୁରୁବାର ଦିନ ଭାରତ ସରକାର ସାଉଦି ଆରବରେ ଥିବା ନିଜ ନାଗରିକମାନଙ୍କୁ ସତର୍କ ଓ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ସେଠାରେ ବଦଳୁଥିବା ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆବଶ୍ୟକ ସ୍ଥଳେ ଘର ଭିତରେ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସରକାରୀ ମାଧ୍ୟମରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି। ସାଉଦି ଆରବ ଏବଂ ଇରାନ-ସମର୍ôଥତ ହୁତି ଗୋଷ୍ଠୀ ମଧ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ ପରିପ୍ରେକ୍ଷୀରେ ରିୟାଦସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ପରାମର୍ଶ ଜାରି କରାଯାଇଛି। ଗତ କିଛି ସପ୍ତାହ ମଧ୍ୟରେ, ହୁତି ବିଦ୍ରୋହୀମାନେ ସଶସ୍ତ୍ର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ସାଉଦିର ସୀମାବର୍ତ୍ତୀ ଅଞ୍ଚଳ, ଶକ୍ତି କେନ୍ଦ୍ର ଏବଂ ସାଧାରଣ ନାଗରିକଙ୍କ ବ୍ୟବହାର୍ଯ୍ୟ ଭିତ୍ତିଭୂମିକୁ ଟାର୍ଗେଟ୍ କରୁଛନ୍ତି। ଦୂତାବାସ କହିଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଉଦି ଆରବରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ଓ ସାବଧାନ ରହିବାକୁ, ଆବଶ୍ୟକ ସ୍ଥଳେ ଘର ଭିତରେ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସରକାରୀ ମାଧ୍ୟମରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ଏହା ସହିତ, ଚାଲିଥିବା ଘଟଣାବଳୀ ସମ୍ବନ୍ଧୀୟ ଭିଡିଓ କିମ୍ବା ଖବର ପ୍ରଚାର କିମ୍ବା ପୁନଃ-ପ୍ରକାଶ ନ କରିବାକୁ ମଧ୍ୟ ଭାରତୀୟ ନାଗରିକମାନଙ୍କୁ ଦୃଢ଼ ପରାମର୍ଶ ଦିଆଯାଇଛି। ପରାମର୍ଶରେ କୁହାଯାଇଛି ଯେ ରିୟାଦସ୍ଥିତ ଭାରତୀୟ ଦୂତାବାସ, ଜେଦ୍ଦାସ୍ଥିତ କନସୁଲେଟ୍ ଏବଂ ଭିଏଫଏସ୍ ମାଧ୍ୟମରେ ପରିଚାଳିତ ସେବାଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ପ୍ରବାସୀ ଭାରତୀୟ ସହାୟତା କେନ୍ଦ୍ରର ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ୮୦୦୨୪୭୧୨୩୪ (ଟୋଲ୍-ଫ୍ରି) ଉପଲବ୍ଧ ରହିଛି। ସଦ୍ୟତମ ଖବର ପାଇବା ପାଇଁ ଦୂତାବାସର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟଗୁଡ଼ିକୁ ଅନୁସରଣ କରିବାକୁ ମଧ୍ୟ ଭାରତୀୟ ସମ୍ପ୍ରଦାୟକୁ ପରାମର୍ଶ ଦିଆଯାଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ କହିଛି ଯେ ପ୍ରଭାବିତ ଯାତ୍ରୀମାନଙ୍କୁ ବିନା ମୂଲ୍ୟରେ ଯାତ୍ରା ସମୟ ପରିବର୍ତ୍ତନ କିମ୍ବା ଟିକେଟ୍?ର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବାର ବିକଳ୍ପ ଦିଆଯାଇଛି। ଏହି ସଂସ୍ଥା ବେଙ୍ଗାଲୁରୁ, କୋଚି, କନ୍ନୁର ଏବଂ କୋଝିକୋଡରୁ ରିୟାଦକୁ ସାପ୍ତାହିକ ଭାବେ ୧୬ଟି ବିମାନ ସେବା ପରିଚାଳନା କରିଥାଏ। ଏୟାର ଇଣ୍ଡିଆ ମଧ୍ୟ ଅକ୍ଟୋବର ୧୦ ପର୍ଯ୍ୟନ୍ତ ରିୟାଦ ଅଭିମୁଖେ ନିଜର ସେବା ବାତିଲ କରିଛି। ଏହା ଦିଲ୍ଲୀ ଏବଂ ମୁମ୍ବାଇରୁ ରିୟାଦକୁ ସାପ୍ତାହିକ ୭ଟି ବିମାନ ଚଳାଚଳ କରାଏ। ବିମାନ ସଂସ୍ଥା କହିଛି ଯେ ଗୁରୁବାର ଦିନ ଦିଲ୍ଲୀରୁ ରିୟାଦ ଯାଉଥିବା ଏଆଇ ୨୨୪୩ ବିମାନଟି ରାଜଧାନୀକୁ ଫେରି ଆସିଥିଲା ଏବଂ ପରେ ଏହାକୁ ବାତିଲ କରାଯାଇଥିଲା; ଏଥିସହ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବାର ବ୍ୟବସ୍ଥା କରାଯାଇଛି।
