ନୂଆଦିଲ୍ଲୀ: ଗୁରୁବାର ଦିନ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, “କକ୍ରୋଚ୍ ଜନତା ପାର୍ଟି’ (ସିଜେପି)ର ଅକ୍ଟୋବର ୧୦ ତାରିଖର ବିକ୍ଷୋଭ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀରେ ୨୦,୦୦୦ରୁ ଅଧିକ ପୋଲିସ ଓ ଅର୍ଦ୍ଧ-ସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି। ଅଧିକାରୀ ଜଣକ କହିଛନ୍ତି ଯେ ଜନ୍ତର ମନ୍ତରଠାରେ କୌଣସି ବିକ୍ଷୋଭ ପାଇଁ ଅନୁମତି ଦିଆଯାଇନାହିଁ ଏବଂ ସେ ଲୋକମାନଙ୍କୁ କୌଣସି ଅନୁମତିହୀନ ସମାବେଶରେ ଅଂଶଗ୍ରହଣ ନ କରିବାକୁ ଅନୁରୋଧ କରିଛନ୍ତି। ଶାନ୍ତି ଭଙ୍ଗ ରୋକିବା ଏବଂ ଲୋକ ଓ ଯାନବାହନର ସୁଗମ ଚଳାଚଳ ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ମୁତୟନ କରାଯାଇଛି। ଅଧିକାରୀ ଜଣକ କହିଛନ୍ତି ଯେ ସେହି ଅଞ୍ଚଳରେ ପୂର୍ବରୁ ହିଁ ନିଷେଧାଦେଶ ଲାଗୁ କରାଯାଇଛି। ନିଷେଧାଦେଶ ଲାଗୁ ରହିଛି ଏବଂ ସମସ୍ତଙ୍କୁ ଆଇନ ମାନିବା ଓ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରାଯାଉଛି ବୋଲି ଅଧିକାରୀ କହିଛନ୍ତି। ପୋଲିସ ବିକ୍ଷୋଭକାରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ଅନୁରୋଧ କରିଛି ଯେ ସେମାନେ ଯେପରି କୌଣସି ହିଂସାକାଣ୍ଡରେ ଲିପ୍ତ ନ ହୁଅନ୍ତି କିମ୍ବା ସୁରକ୍ଷା ଦାୟିତ୍ୱରେ ଥିବା ବାହିନୀର ସଦସ୍ୟଙ୍କ ଉପରେ ଆକ୍ରମଣ ନ କରନ୍ତି। “ଆମେ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ନ କରିବାକୁ ଅନୁରୋଧ କରୁଛୁ। ଏଭଳି କାର୍ଯ୍ୟ ଏକ ଅପରାଧ ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’ ବୋଲି ଅଧିକାରୀ କହିଛନ୍ତି। ମହିଳା ବିକ୍ଷୋଭକାରୀଙ୍କ ସହ କିପରି ବ୍ୟବହାର କରାଯିବ ସେ ନେଇ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ବାହିନୀର ସମସ୍ତ ସଦସ୍ୟଙ୍କୁ ଏକା ସ୍ତରର ସୂଚନା ଓ ବୁଝାମଣା ମଧ୍ୟରେ ରଖିବା ପାଇଁ ପ୍ରତିଦିନ ସମୀକ୍ଷା ବୈଠକ କରାଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି। ସୋସିଆଲ୍ ମିଡିଆ କିମ୍ବା ଅନ୍ୟ କୌଣସି ସ୍ଥାନରେ ପ୍ରଚାରିତ ଅପ୍ରମାଣିତ ତଥ୍ୟ ଉପରେ ବିଶ୍ୱାସ ନ କରିବା କିମ୍ବା ତାହାକୁ ପ୍ରସାର ନ କରିବା ପାଇଁ ପୋଲିସ୍ ଲୋକମାନଙ୍କୁ ସତର୍କ କରାଇଛି। ଅଧିକାରୀ ଜଣକ କହିଛନ୍ତି, କେବଳ ଅନ୍ଲାଇନ୍ରେ କିଛି ଦେଖିବା ମାତ୍ରେ ଲୋକମାନେ ମିଥ୍ୟା ଖବର ଉପରେ ବିଶ୍ୱାସ କରିବା କିମ୍ବା ତାହାକୁ ପ୍ରସାର କରିବା ଉଚିତ୍ ନୁହେଁ। ସେମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ କେବଳ ଦିଲ୍ଲୀ ପୋଲିସ୍ର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏବଂ ପ୍ରମାଣିତ ଯୋଗାଯୋଗ ମାଧ୍ୟମ ଉପରେ ହିଁ ଭରସା କରନ୍ତୁ। ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ଅଫ୍ ଭୋଟର୍ ଲିଷ୍ଟ୍ (ଭୋଟର ତାଲିକାର ସ୍ୱତନ୍ତ୍ର ତୀବ୍ର ସଂଶୋଧନ) ନାମରେ ଦେଶବ୍ୟାପୀ ଲକ୍ଷ ଲକ୍ଷ ଭୋଟରଙ୍କ ନାମ କାଟିବା ପ୍ରକ୍ରିୟାର ତତ୍ତ୍ୱାବଧାନ କରିଥିବା ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ଆସିଛି ଏବଂ ଏହାକୁ ନେଇ “କକ୍ରୋଚ୍ ଜନତା ପାର୍ଟି’ ଓ ଅନେକ ଛାତ୍ର ସଂଗଠନ ତାଙ୍କ ଇସ୍ତଫା ଦାବି କରୁଛନ୍ତି।
