କଟକ: ଅବୈଧ ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ କଟକର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇଛି। କଟକ ସଦର ଅବକାରୀ ପରିସର ଅଧୀନରେ ହୋଇଥିବା ଏହି ଚଢ଼ଉ ସମୟରେ ମୋଟ ୫ଟି ମାମଲା ରୁଜୁ କରାଯିବା ସହ ୩୨ ଲିଟର ଦେଶୀ ମଦ, ୬୦ ଲିଟର ଅବୈଧ ଭାବେ ପ୍ରସ୍ତୁତ ଦେଶୀ ମଦ ଏବଂ ମଦ ପରିବହନରେ ବ୍ୟବହୃତ ଏକ ସ୍କୁଟି ଜବତ କରାଯାଇଛି। କଟକ ସଦର ଅବକାରୀ ପରିସର ପକ୍ଷରୁ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଅଞ୍ଚଳ ଏବଂ ବିଜୁ ପଟ୍ଟନାୟକ ପାର୍କ ଛକ ନିକଟରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ବିପୁଳ ପରିମାଣର ଅବୈଧ ମଦ ଜବତ ହୋଇଥିବା ବେଳେ ମଦ ପରିବହନରେ ବ୍ୟବହୃତ ସ୍କୁଟିଟିକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି।କଟକ ସଦର ଅବକାରୀ ନିରୀକ୍ଷକ କମଳ ଲୋଚନ ପାଇକରାୟଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିବା ବେଳେ ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତେୱାରୀଙ୍କ ତତ୍ତ୍ୱାବଧାନରେ ଅଭିଯାନ ପରିଚାଳିତ ହୋଇଥିଲା। ଅବୈଧ ମଦ ପ୍ରସ୍ତୁତି, ପରିବହନ ଓ ବିକ୍ରୟ ଉପରେ ନଜର ରଖିବା ସହ ଏଭଳି କାରବାରକୁ ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଚଢ଼ଉ ଓ ଯାଞ୍ଚକୁ ଅଧିକ ଜୋରଦାର କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
