ବାରିପଦା; ବାରିପଦା ସହର ସ୍ଥିତ ଭଞ୍ଜପୁର ପୋଲିସ ରିଜର୍ଭ କଲୋନୀରେ ଥିବା ଏକ ସରକାରୀ ଆବାସିକ କ୍ୱାର୍ଟର୍ସର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟି ଘରର ବହୁ ମୂଲ୍ୟବାନ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଘରଟି ହାବିଲଦାର ପୀତାମ୍ବର ମାରାଣ୍ଡିଙ୍କର ହୋଇଥିବା ବେଳେ ଘଟଣା ସମୟରେ ଘରେ କୌଣସି ପରିବାର ସଦସ୍ୟ ଉପସ୍ଥିତ ନଥିଲେ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ପ୍ରଥମେ ଗେଷ୍ଟ ରୁମରେ ନିଆଁ ଲାଗିଯାଇଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ତାହା ଉଗ୍ର ରୂପ ଧାରଣ କରିଥିଲା। ଘରର ଝରକା ଦେଇ ପ୍ରବଳ ନିଆଁର ଶିଖା ଓ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ବାସିନ୍ଦା ତୁରନ୍ତ ବାରିପଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଗେଷ୍ଟ ରୁମରୁ ନିଆଁ ପାଖରେ ଥିବା ବେଡ ରୁମକୁ ବ୍ୟାପିବା ଆରମ୍ଭ କରୁଥିବା ବେଳେ ଅଗ୍ନିଶମ ବାହିନୀ ଠିକ ସମୟରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ବିପତ୍ତି ଓ ଧନଜୀବନ ହାନି ଟଳିଯାଇଥିବା ବେଳେ ସମଗ୍ର କଲୋନୀରେ ଏହାକୁ ନେଇ କିଛି ସମୟ ପାଇଁ ଚାପା ଉତ୍ତେଜନା ଓ ଆତଙ୍କ ଖେଳିଯାଇଥିଲା ।
