ବାରିପଦା; ପାର୍ବଣ ଋତୁକୁ ଲକ୍ଷ୍ୟ କରି ମୟୂରଭଞ୍ଜ ଜିଲ୍ଲା, ବୈଶିଙ୍ଗା ଥାନା ଅଞ୍ଚଳରେ ଥାନାଧିକାରୀ ବାବା ଶଙ୍କର ସରାଫ ବାରମ୍ବାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ବୁଧବାର ଅପରାହ୍ନ ସମୟରେ ବୈଶିଙ୍ଗା ଥାନାଧିକାରୀଙ୍କ ସମେତ ସଦଳବଳ ପଣସିଆ ଛକ ନିକଟରେ ଥିବା ମନ୍ମଥ ବେହେରାଙ୍କ ଦୋକାନରେ ଚଢାଉ କରିଥିଲେ । ତାଙ୍କ ନିକଟରୁ ବିଭିନ୍ନ ନାମୀ ଦାମୀ କମ୍ପାନୀର ୨୯ ଲିଟର ବିଦେଶୀ ମଦ ଜବତ କରିବା ସହ ମନ୍ମଥ ଙ୍କୁ ଗିରଫ କରିଥିଲେ । ସେହିପରି ମହୁରୀ ନିକଟସ୍ଥ ଡାହିବାଡ଼ି ସାପ୍ତାହିକ ହାଟରେ ବିପୁଳ ପରିମାଣରେ ମଦ ବିକ୍ରି ହେଉଥିବା ନେଇ ଖବର ପାଇବା ପରେ ବୈଶିଙ୍ଗା ପୁଲିସ ଚଢାଉ କରିଥିଲା । ସେଠାରୁ ବୈଶିଙ୍ଗା ଗ୍ରାମର ବାସନ୍ତୀ ମହାନ୍ତ , ମହୁରୀ ଗ୍ରାମର କୁନା ବିନ୍ଧାଣୀ , ନଛିପୁରିଆ ଗ୍ରାମର ବନମାଳୀ ସିଂ ଓ ବଦ୍ରା ମାଝୀ ,ରଙ୍ଗାମାଟିଆ ଗ୍ରାମର ରଣଜିତ ପ୍ରଧାନ , ବୈଶିଙ୍ଗା ଗ୍ରାମର ଦେବେନ୍ଦ୍ର ବେହେରା ଏବଂ ଚୁଅପଦା ଗ୍ରାମର କ୍ଷେତ୍ରମୋହନ ମାରାଣ୍ଡିଙ୍କ ନିକଟରୁ ପାଖାପାଖି ୧୨୩ ଲିଟର ଦେଶୀ ମଦ ଜବତ କରିବା ସହ ସମସ୍ତ ଙ୍କୁ ଗିରଫ କରିଥିଲା ବୈଶିଙ୍ଗା ପୁଲିସ । ଏ ନେଇ ବୈଶିଙ୍ଗା ଥାନାରେ ପୃଥକ ପୃଥକ ଭାବେ ମାମଲା ରୁଜ୍ଜୁ କରାଯିବା ସହ ସମସ୍ତ ଗିରଫ ୮ ଜଣଙ୍କୁ ନୋଟିସ ଜରିଆରେ ଛଡ଼ା ଯାଇଛି । ଆଗକୁ ବୈଶିଙ୍ଗା ଥାନା ଅଞ୍ଚଳରେ ଏହି ଚଢାଉ ଆହୁରି ଜୋରଦାର କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି ।
