ବ୍ରହ୍ମପୁର: ପାର୍ବଣ ଆରମ୍ଭ ହେଉ ହେଉ ରକ୍ତରଞ୍ଜିତ ହୋଇଛି ରେଶମ ସହର। ସାମାନ୍ୟ ପାଟିତୁଣ୍ଡକୁ କେନ୍ଦ୍ର କରି ସାଙ୍ଗର ତଣ୍ଟି କାଟି ହତ୍ୟା କରିଛି ସାଙ୍ଗ। ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ଗାଁରେ ଘଟିଥିବା ଏହି ହତ୍ୟାକାଣ୍ଡରେ ଟୁନା ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ ତାଙ୍କ ସାଙ୍ଗ ବିଟୁ ସାହୁଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଟୁନା, ବିଟୁଙ୍କ ସମେତ ୪ ଜଣ ଏକାଠି ମଦ୍ୟପାନ କରୁଥିଲେ। କୌଣସି କଥାକୁ ନେଇ ଟୁନା ଓ ବିଟୁଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଟୁନା ପ୍ରଥମେ ବିଟୁଙ୍କୁ ଚାପୁଡ଼ା ମାରିଥିବା କୁହାଯାଉଛି। ଏଥିରେ ଉତ୍ତ୍ୟକ୍ତ ହୋଇ ବିଟୁ ସ୍କୁଟିରେ ରଖିଥିବା ଛୁରୀରେ ଟୁନାଙ୍କ ବେକକୁ ଆକ୍ରମଣ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ରକ୍ତାକ୍ତ ଅବସ୍ଥାରେ ଟୁନା ନିଜ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ।

ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଅନ୍ୟପଟେ ପାର୍ବଣ ପାଇଁ ଚାଲିଥିବା ନାକା ଯାଞ୍ଚ ବେଳେ ପୁଲିସ ବିଟୁଙ୍କୁ ଧରିଥିଲା। ପରେ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରାଯାଇଛି।ମୃତ ଟୁନାଙ୍କ ନାମରେ ନିମଖଣ୍ଡି ଥାନାରେ ୨ଟି ଓ ସଦର ଥାନାରେ ୬ଟି ସହ ମୋଟ ୮ଟି ଅପରାଧିକ ମାମଲା ରହିଥିବା ବ୍ରହ୍ମପୁର ଏସ୍?ପି ଅଭିନବ ସୋନକାର ସୂଚନା ଦେଇଛନ୍ତି। ଘଟଣାକୁ ନେଇ ନିମଖଣ୍ଡି ପୁଲିସର ଅଧିକ ତଦନ୍ତ ଜାରି ରହିଛି।
