ନୂଆଦିଲ୍ଲୀ: ୟୁକ୍ରେନର ସୁମି ଅଞ୍ଚଳରେ ଥିବା ଭାରତୀୟ ପରିଚାଳିତ ଏକ ଔଷଧ କାରଖାନା (ଫାର୍ମାସ୍ୟୁଟିକାଲ୍ ପ୍ଲାଣ୍ଟ) ରୁଷୀୟ ଡ୍ରୋନ୍ ଆକ୍ରମଣରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଅନେକ ଆହତ ହୋଇଛନ୍ତି। କୁସୁମ୍ ଗ୍ରୁପ୍ର ମାଲିକାନାରେ ଥିବା ଏହି କାରଖାନାର ମୁଖ୍ୟ କୋଠାବାଡ଼ି ଆକ୍ରମଣରେ ବହୁଳ ଭାବେ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରୁ ମିଳିଥିବା ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଡ୍ରୋନ୍ ଆକ୍ରମଣ ପରେ କାରଖାନାରୁ ଧୂଆଁର ବଡ଼ କୁଣ୍ଡଳୀ ଉଠୁଛି। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାର ଓ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ। କୁସୁମ୍ ଗ୍ରୁପ୍ର ଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ଏହି ଆକ୍ରମଣ ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଥିଲା। ଖବର ପ୍ରକାଶ ପାଇବା ସମୟ ପର୍ଯ୍ୟନ୍ତ ଇମେଲ୍ ମାଧ୍ୟମରେ କମ୍ପାନୀକୁ ପଠାଯାଇଥିବା ପ୍ରଶ୍ନର କୌଣସି ଉତ୍ତର ମିଳିପାରି ନଥିଲା। ଯଦି କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳେ, ତେବେ ଏହି ରିପୋର୍ଟକୁ ଅପଡେଟ୍ କରାଯିବ। କୁସୁମ୍ ଗ୍ରୁପ୍ ୧୯୯୪ ମସିହାରେ ୟୁକ୍ରେନକୁ ଭାରତୀୟ ଔଷଧ ଯୋଗାଣକାରୀ (ଡିଷ୍ଟ୍ରିବ୍ୟୁଟର) ଭାବେ ନିଜର କାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ଏହା ଭାରତୀୟ ନାଗରିକ ରାଜୀବ ଗୁପ୍ତାଙ୍କ ଦ୍ୱାରା ପରିଚାଳିତ ହେଉଛି ଏବଂ ନିଜକୁ ଭାରତୀୟ ମୂଳ ଥିବା ଏକ ୟୁକ୍ରେନୀୟ କମ୍ପାନୀ ଭାବେ ପରିଚିତ କରାଏ। ୨୦୦୨ ମସିହାରେ କମ୍ପାନୀ ଅନ୍ୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧର ବିତରଣ ବନ୍ଦ କରି ନିଜସ୍ୱ ବ୍ରାଣ୍ଡ୍ ବିକାଶ କରିବା ଆରମ୍ଭ କରିଥିଲା। ରିପୋର୍ଟ ଅନୁଯାୟୀ, ପରବର୍ତ୍ତୀ ସମୟରେ କମ୍ପାନୀ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିଥିଲା; ୨୦୦୭ ମସିହାରେ ଭାରତରେ ଏକ କାରଖାନା ଖୋଲିବା ପରେ ୨୦୦୯ରେ ୟୁକ୍ରେନର ସୁମିଠାରେ ନିଜର ପ୍ଲାଣ୍ଟ ସ୍ଥାପନ କରିଥିଲା। ଏହା ପରେ ଭାରତରେ ଆଉ ଦୁଇଟି ଉତ୍ପାଦନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଥିଲା। ଏହି ଗ୍ରୁପ୍ ୫୦ରୁ ଅଧିକ ମୁଖ୍ୟତଃ ଜେନେରିକ୍ ଔଷଧ ଉତ୍ପାଦନ କରେ ଏବଂ ୟୁକ୍ରେନ, ଉଜବେକିସ୍ତାନ, କାଜାଖସ୍ତାନ ଓ ଫିଲିପାଇନ୍ସ ସମେତ ଅନେକ ଦେଶରେ ନିଜର ଉତ୍ପାଦ ବିକ୍ରି କରେ। ରୁଷ୍-ୟୁକ୍ରେନ୍ ଯୁଦ୍ଧର ଅଧିକାଂଶ ସମୟରେ ସୁମି ସ୍ଥିତ କାରଖାନାଟି କାର୍ଯ୍ୟକ୍ଷମ ରହିଥିଲା, କିନ୍ତୁ ବର୍ତ୍ତମାନ ଏହା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ଧ୍ୱଂସଲୀଳା ଯୋଗୁଁ ହୋଇଥିବା କ୍ଷତିର ପରିମାଣ ଅତିକମରେ ୪୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ସମଗ୍ର ୟୁକ୍ରେନରେ ରୁଷିଆର ଆକ୍ରମଣ ତୀବ୍ର ହୋଇଥିବା ସମୟରେ ଏହି ଆକ୍ରମଣ ଘଟିଛି। ଗ୍ରୀଷ୍ମ ଋତୁ ଠାରୁ ମସ୍କୋ ଦେଶବ୍ୟାପୀ ଆକ୍ରମଣ ପାଇଁ ବହୁ ସଂଖ୍ୟାରେ “ଶାହେଦ୍’ ଡ୍ରୋନ୍ ବ୍ୟବହାର କରିଛି, ଯେଉଁଥିରେ ଜେଟ୍-ଚାଳିତ ଡ୍ରୋନ୍ ମଧ୍ୟ ସାମିଲ ରହିଛି।
