ବାରିପଦା /କରଞ୍ଜିଆ ; ମୟୂରଭଞ୍ଜ ଜିଲ୍ଲା,ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ କରଞ୍ଜିଆ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ତତ୍ତ୍ୱାବଧାନରେ କରଞ୍ଜିଆ ଷ୍ଟାଡିୟମ୍ ପରିସରରେ ଚାଲିଥିବା ଜିଲ୍ଲାସ୍ତରୀୟ ଦୌଡ଼କୁଦ ଓ କ୍ରିକେଟ୍ ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଛି। ସେପ୍େଟମ୍ବର ୨୮ରୁ ଚାରିଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୪ ଓ ୧୭ ବର୍ଷରୁ କମ୍ ବାଳକବାଳିକାଙ୍କ ଦୌଡ଼କୁଦ ଏବଂ ୧୭ ବର୍ଷରୁ କମ୍ ବାଳକବାଳିକାଙ୍କ କ୍ରିକେଟ୍ ପ୍ରତିଯୋଗିତା ହୋଇଥିଲା। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଗୌତମ ପାତ୍ରଙ୍କ ସଭାପତିତ୍ୱ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉଦଯାପନୀ ସମାରୋହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ ରାଜ୍ୟ ବୀମା ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପାଞ୍ଚପୀଢ଼ ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡ଼ା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ପାଠପଢ଼ା ସହ କ୍ରୀଡ଼ାକୁ ଗୁରୁତ୍ୱ ଦେଇ ରାଜ୍ୟ ଓ ଜାତୀୟସ୍ତରରେ ସଫଳତା ହାସଲ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ ଯେ, କୃତୀ ପ୍ରତିଯୋଗୀମାନେ ଅକ୍ଟୋବର ୩ରୁ କେନ୍ଦୁଝର ଜିଲ୍ଲାର ଧରଣୀଧର ସ୍ପୋର୍ଟସ କମ୍ପେ୍ଲକ୍ସରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ।
ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ଦୌଡ଼କୁଦ ବାଳକ ବିଭାଗରେ ବଡ଼ସାହି, ବାଳିକା ବିଭାଗରେ ବାରିପଦା, ୧୪ ବର୍ଷରୁ କମ୍ ବାଳକ ବିଭାଗରେ କରଞ୍ଜିଆ ଏବଂ ବାଳିକା ବିଭାଗରେ ଯଶିପୁର ବ୍ଲକ ଚମ୍ପିଆନ୍ ହୋଇଥିଲେ। ସେହିପରି ୧୭ ବର୍ଷରୁ କମ୍ କ୍ରିକେଟ୍ ବାଳକ ବିଭାଗରେ ମୋରଡ଼ା ଓ ବାଳିକା ବିଭାଗରେ ବାରିପଦା ଏବଂ ୧୪ ବର୍ଷରୁ କମ୍ ବାଳକ ବିଭାଗରେ କରଞ୍ଜିଆ ବ୍ଲକ ଚମ୍ପିଆନ୍ ହୋଇଥିଲା। ବିଜେତାମାନଙ୍କୁ ମେଡାଲ, ପୁଷ୍ପଗୁଚ୍ଛ ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ସାମଗ୍ରିକ ପ୍ରଦର୍ଶନ ଆଧାରରେ କରଞ୍ଜିଆ ବ୍ଲକ ଅଲରାଉଣ୍ଡ ଚମ୍ପିଆନ୍ ହୋଇ ଚମ୍ପିଆନ୍ ଟ୍ରଫି ହାସଲ କରିଥିଲା। ଏହି ଅବସରରେ ପାଞ୍ଚପୀଢ଼ ଏସ୍ଡିପିଓ ନବକୃଷ୍ଣ ନାଏକ, କରଞ୍ଜିଆ ପିଏମ୍ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତଥା ସାଂଗଠାନିକ ସମ୍ପାଦକ ତରୁ ନାଏକ, ଜିଲ୍ଲା ଓଷ୍ଟା ଶିକ୍ଷକ ସଂଘ ସଭାପତି ଚିତ୍ତରଞ୍ଜନ ପାଲିତା ଓ ବରିଷ୍ଠ ନେତା କୃପାସିନ୍ଧୁ ମହାନ୍ତ ଉପସ୍ଥିତ ଥିଲେ।
ପ୍ରତିଯୋଗିତାର ସୁପରିଚାଳନା ପାଇଁ ଦେବେନ୍ଦ୍ର ମହାନ୍ତ, ସୁଧାରଞ୍ଜନ ମହାକୁଡ଼, ଶକୁନ୍ତଳା ମହାନ୍ତ, ମଉଡ଼ମଣୀ ନାଏକ, ଦୀପ୍ତି ମହାକୁଡ଼ ଓ ତରୁ ନାଏକଙ୍କୁ ସମ୍ମାନିତ କରାଯାଇଥିଲା। ଶିକ୍ଷକ ଦୁର୍ଗାଚରଣ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅଫିସିଆଲ୍, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ମେଡିକାଲ ଟିମ୍, ଦମକଳ ଓ ପୋଲିସ ବାହିନୀ ସହଯୋଗ କରିଥିଲେ।
