ରଘୁନାଥପୁର: କଟକ ପାରାଦୀପ ରାସ୍ତାର ଜଇପୁର କଟିକଟା ମହାନଦୀ ବ୍ରିଜ ଉପରେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ବାଇକ ଚାଳକ ଗୁରୁତର ହୋଇଛନ୍ତି।ମୃତ ମହିଳା ଜଣ ହେଲେ କୁଜଙ୍ଗ ଥାନା ସାନଗଦାପୁର ଗ୍ରାମର ଅକ୍ଷୟ ସ୍ୱାଇଁ ୬୦ଙ୍କ ସ୍ତ୍ରୀ ଅହଲ୍ୟା ସ୍ୱାଇଁ ୫୭।ଗୁରୁତର ହୋଇପଡ଼ିଥିବା ଅହଲ୍ୟା ଙ୍କ ସ୍ୱାମୀ ଅକ୍ଷୟ ଓ ଅନ୍ୟ ବାଇକ ଚାଳକ ତିର୍ତ୍ତୋଲ ଥାନା ରାହାଡିଙ୍ଗା ଗ୍ରାମର ରୁମୁ ଦାସ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

ମଧ୍ୟାହ୍ନ ୧.୩୦ ରେ ଅକ୍ଷୟ ଓ ଅହଲ୍ୟା ଏକ ବାଇକରେ ରଘୁନାଥପୁର ସ୍ଥିତ ବନ୍ଧୁଘରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବାବେଳେ ଜଇପୁର ଠାରେ ନୂତନ ଭାବେ ମହାନଦୀ ଉପରେ ନିର୍ମିତ ହୋଇଥିବା ବ୍ରିଜ ଉପରକୁ ପାଣି ଦେଖିବାକୁ ଯାଉଥିଲେ।ହଟାତ ଦୃତଗତିରେ ଆସି ଅନ୍ୟ ବାଇକଟି ତାଙ୍କୁ ଧକ୍କା ଦେଇଥିଲା।ପଛରେ ବସିଥିବା ମହିଳା ଜଣଙ୍କ ବ୍ରିଜ ବାଡାରେ ପିଟି ହୋଇଯାଇଥିଲେ।ତାଙ୍କ ମୁଣ୍ଡରେ କ୍ଷତ ହେବାସହ ଗଭୀର ଆଘାତ ଲାଗିଥିଲା।ସ୍ଥାନୀୟ ବ୍ୟକ୍ତିଙ୍କ ଉଦ୍ୟମରେ ଉଭୟଙ୍କୁ ୧୦୮ ଯୋଗେ ଜଗତସିଂହପୁର ମେଡିକାଲ ନିଆଯାଇଥିଲା।ସେଠାରେ ଡାକ୍ତର ଅହଲ୍ୟାଙ୍କୁ ମୃତ ଘୋଷଣା କରିଥିଲେ।ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ବାଇକ ଜବତ କରିଥିବା ଆଇଆଇସି ବଂଶିଧର ପ୍ରଧାନ ପ୍ରକାଶ କରିଛନ୍ତି।
