ହିନ୍ଦୋଳ: ଜଣେ ଚାଷୀ ନିଜର ଧାନଜମି ଦେଖିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ପାଟଲା ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ପାଟଲା ମଙ୍ଗଳା ସାହିର ବିଷ୍ଣୁ ନାଏକ ଦୁଇଦିନ ତଳେ ନିଜର ଧାନଜମିକୁ ଦେଖିବାକୁ ଯାଇଥିବାବେଳେ ଘରକୁ ଫେରିନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାରଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଶେଷରେ ନିରାଶହୋଇ ବାଲିମୀ ଥାନାରେ ଏକ ନିଖୋଜ ମାମଲା କରିଥିଲେ। ଆଜି ସକାଳ ସମୟରେ ଲୋକମାନେ ନିଜର ଧାନଜମିକୁ ଯିବାବେଳେ ବିଷ୍ଣୁଙ୍କର ମୃତଦେହ ଧାନଜମିରେ ପଡିଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ତାଙ୍କ ପରିବାରଲୋକ ଓ ବନବିଭାଗକୁ ଏ ସଂପର୍କରେ ଖବର ଦେଇଥିଲେ। ଘଟଣାସ୍ଥଳରେ ବନବିଭାଗ ବହୁବିଳମ୍ବରେ ପହଂଚି ତଦନ୍ତ କରିଥିଲା। ଏ ଦୁଃଖଦ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହେବାପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ହିନ୍ଦୋଳରେ ହାତୀ ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନି। କେବେ ହିନ୍ଦୋଳବାସୀ ହାତୀ କବଳରୁ ବର୍ତ୍ତିବେ ତାହା ଦେଖିବାକୁ ବାକି ରହିଲା।
