ହିନ୍ଦୋଳ: ଆଜି ଭୋର୍ ସମୟରେ ଏକ ଗୋରୁ ବୋଝେଇ ଗାଡ଼ି ଜବତ ହେବାସହ ଦୁଇଜଣ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ ହିନ୍ଦୋଳ ଥାନା ଅନ୍ତର୍ଗତ ଅମଲାପଡା ଛକରୁ ଆଜି ଭୋର୍ ସମୟରେ ଏକ ଗୋରୁ ବୋଝେଇ ଟାଟା ଏଣ୍ଟ୍ରା ଗାଡ଼ି ଜବତ ହୋଇଛି। ସେଥିରେ ଥିବା ୯ଗୋଟି ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଦୁଇଜଣଙ୍କୁ ହିନ୍ଦୋଳ ଥାନା ପୋଲିସ୍ ଗିରଫ୍ କରିଛି। ଓଡି୦୫ବିଏସ୍୦୪୪୦ ନମ୍ପର ଥିବା ଟାଟା ଏଣ୍ଟ୍ରା ଗାଡ଼ି ଗୋରୁନେଇ ନରସିଂହପୁରରୁ ଅନୁଗୋଳ ଅଭିମୁଖେ ଯାଉଥିବାବେଳେ ପୋଲିସ୍ ପେଟ୍ରୋଲିଂ କରୁଥିବା ଦେଖି ବାଉଁଶପୋଖରୀ ଛକରୁ ଫେରିଆସି ଦୃତଗତିରେ ପଳାଉଥିବାବେଳେ ହିନ୍ଦୋଳ ଅମଲାପଡା ଛକରେ ଥିବା ଚିତ୍ତରଞ୍ଜନ ଅମାନ୍ତଙ୍କ ଦୋକାନକୁ ଧକ୍କା ଦେଇଥିଲା। ଫଳରେ ପୋଲିସ୍ ପହଂଚି ସଙ୍ଗେସଙ୍ଗେ ଗୋରୁ ବୋଝେଇ ଗାଡ଼ି ସହ ସେଥିରେ ଥିବା ଦୁଇଜଣ ଡ୍ରାଇଭରଙ୍କୁ କାବୁ କରିନେଇଥିଲା। ପୋଲିସ୍ ଗୋରୁ ବୋଝେଇ ଗାଡ଼ିକୁ ଥାନାକୁ ନେଇ ସେଥିରେ ଥିବା ୯ଗୋଟି ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ସେହି ଗାଡ଼ିରେ ଥିବା ଦୁଇଜଣ ଡ୍ରାଇଭର ଆଫ୍ରୋଚ୍ ଖାଁ ଏବଂ ସେଖ୍ ସର୍ଫରାଜ୍ ଖାଁକୁ ଗିରଫ୍ କରିଛି। ଉଭୟଙ୍କ ଘର ପିର୍ ବଜାର ଜଗତପୁର ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଆଉ ୨ଗୋଟି ଗୋରୁ ବୋଝେଇ ଗାଡ଼ି ଆସିଥିବାବେଳେ ସେମାନେ ଖସି ପଳାଇଥିଲେ । ଧରାପଡିଥିବା ଗୋରୁ ବୋଝେଇ ଟାଟା ଏଣ୍ଟ୍ରା ମଧ୍ୟ ଖସିଯିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଦୃତ ଗତିରେ ଯାଉଥିବାରୁ ଭାରସାମ୍ୟହରାଇ ଦୋକାନକୁ ଧକ୍କା ଦେଇଥିଲା। ଫଳରେ ପୋଲିସ୍ ହାବୁଡ଼ରେ ପଡ଼ିଥିଲା। ଖସିଯିବାର ଉଦ୍ୟମ ପଣ୍ଡ ହୋଇଯାଇଥିଲା। ଗୋରୁମାଫିଆଙ୍କ ଏପରି ବେଆଇନ୍ ଗୋଚାଳନାକୁ ରୋକିବାକୁ ପୋଲିସ୍ ପ୍ରଶାସନ ଆହୁରି ସଜାଗ ହେବାକୁ ସାଧାରଣରେ ଦାବି କରାଯାଇଛି। ତେବେ ଦୋକାନଘର ଭାଙ୍ଗିଥିବାରୁ କ୍ଷତିପୂରଣ ଦାବିକରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୋକାନୀ ଚିତ୍ତରଞ୍ଜନ ଅମାନ୍ତ।
