ବାରିପଦା; ଧାନ ବିଲରେ ବିଛାଯାଇଥିବା ଜାଲରେ ଫସିଥିବା ପ୍ରାୟ ୧୦ ଫୁଟ ଲମ୍ବର ଏକ ଅଜଗରକୁ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା, ବିଜାତଳା ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡା ଗ୍ରାମରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗ୍ରାମର ଧାନ ବିଲରେ ଜାଲ ଭିତରେ ଅଜଗରଟି ଫସି ଯାଇଥିଲା। ବିଲକୁ ଯାଇଥିବା କିଛି ଲୋକ ସାପଟିକୁ ଦେଖିବା ପରେ ଘଟଣା ସମ୍ପର୍କରେ ସର୍ପମିତ୍ରଙ୍କୁ ଜଣାଇଥିଲେ। ଖବର ପାଇ ସର୍ପମିତ୍ର ପ୍ରଦୀପ କୁମାର ଗୋପାଲ ଘଟଣା ସ୍ଥଳରେ ପହଞ୍ଚି ଜାଲରୁ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ବନ ବିଭାଗ ସହ ସମନ୍ୱୟରେ ଅଜଗରଟିକୁ ରାଇରଙ୍ଗପୁର ବନଖଣ୍ଡ ଅଧୀନ ରାଇରଙ୍ଗପୁର ରେଞ୍ଜର କୁଚେଇବୁଢ଼ୀ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ର ଜଣାପଡ଼ିଛି। ଅଜଗର ଉଦ୍ଧାର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଚର୍ଚ୍ଚା ଲାଗି ରହିଥିଲା।
