ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ଅବସ୍ଥିତିକୁ ନେଇ ରହସ୍ୟ ଜାରି ରହିଥିବା ବେଳେ, ଏକ ନୂଆ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ୫୬ ବର୍ଷୀୟ ମୋଜତାବାଙ୍କୁ ତେହେରାନର ଏକ ହସ୍ପିଟାଲର ଧ୍ୱଂସାବଶେଷ ମଧ୍ୟରୁ ବାହାରକୁ ଅଣାଯାଇଥିଲା। ‘ନ୍ୟୁୟର୍କ ପୋଷ୍ଟ’ର ରିପୋର୍ଟରେ ଜଣେ ଇରାନୀ ଧର୍ମଗୁରୁଙ୍କ ଉଦ୍ଧୃତି ଦିଆଯାଇ କୁହାଯାଇଛି ଯେ, ଫେବୃଆରୀ ୨୮ ତାରିଖରେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର କାରଣ ସାଜିଥିବା ଘଟଣାକ୍ରମରେ, ଆମେରିକା ଓ ଇସ୍ରାଏଲ ତାଙ୍କ ପିତା ତଥା ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଟାର୍ଗେଟ କରି ତେହେରାନର ଏକ ପରିସର ଉପରେ ଆକ୍ରମଣ କରିଥିଲେ; ଏହା ପରେ ମୋଜତାବାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତଥାପି, ପରବର୍ତ୍ତୀ ଦିନଗୁଡ଼ିକ ମଧ୍ୟରେ କୌଣସି ଏକ ସମୟରେ ଆମେରିକା ଏବଂ ଇସ୍ରାଏଲ ତିନୋଟି ଭିନ୍ନ ଭିନ୍ନ ଚିକିତ୍ସା କେନ୍ଦ୍ର (ମେଡିକାଲ କମ୍ପାଉଣ୍ଡ)କୁ ଟାର୍ଗେଟ କରିଥିଲେ, ଯେଉଁଥିରେ ସେହି ହସ୍ପିଟାଲ ମଧ୍ୟ ଅନ୍ତର୍ଭୁକ୍ତ ଥିଲା ଯେଉଁଠାରେ ମୋଜତାବା ଚିକିତ୍ସିତ ହେଉଥିଲେ। “ନ୍ୟୁୟର୍କ ପୋଷ୍ଟ’ ଅନୁଯାୟୀ, ଇରାନର “ଆସେମ୍ବଲି ଅଫ୍ ଏକ୍ସପର୍ଟସ୍’ର ସଦସ୍ୟ ମୋହସେନ୍ ହେଦାରି କହିଛନ୍ତି, “ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମଧ୍ୟ ତେହେରାନର ତିନୋଟି ହସ୍ପିଟାଲ ଉପରେ ବୋମାମାଡ଼ କରାଯାଇଥିଲା। ମୋଜତାବା ଖାମେନେଇ ତୃତୀୟ ହସ୍ପିଟାଲରେ ଥିଲେ ଏବଂ ତାଙ୍କୁ ଧ୍ୱଂସାବଶେଷ ମଧ୍ୟରୁ ବାହାରକୁ ଅଣାଯାଇଥିଲା।’ ଇରାନର ସର୍ବୋଚ୍ଚ ନେତା ହେବା ପାଇଁ ମୋଜତାବା ବ୍ୟାପକ ସମର୍ଥନ ପାଇଥିଲେ। “ନ୍ୟୁୟର୍କ ପୋଷ୍ଟ’ ରିପୋର୍ଟରେ କୁହାଯାଇଛି ଯେ ଆମେରିକା ଏବଂ ଇସ୍ରାଏଲ “ଆସେମ୍ବଲି ଅଫ୍ ଏକ୍ସପର୍ଟସ୍’କୁ ଟାର୍ଗେଟ କରିବାକୁ ଚାହୁଁଥିଲେ, ଯାହା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ବାଛିବା ପାଇଁ ଦାୟୀ ଥିଲା। “ଶତ୍ରୁପକ୍ଷର ସ୍ଥିତିକୁ ବିଚାରକୁ ନେଇ, ଆମେ ଆୟାତୋଲ୍ଲାହ ମୋଜତାବା ଖାମେନେଇଙ୍କ ବ୍ୟତୀତ ଅନ୍ୟ କାହାକୁ ବି ଇସଲାମୀୟ ଗଣତନ୍ତ୍ରର ନେତା ତଥା ସର୍ବୋଚ୍ଚ ମାର୍ଗଦର୍ଶକ ଭାବେ ବାଛିବୁ ନାହିଁ ବୋଲି ହେଇଦାରି କହିଥିଲେ; ସେ ହିଁ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଏକ ବୈଠକ ସମୟରେ ମୋଜତାବାଙ୍କ ନାମ ପ୍ରସ୍ତାବ କରିଥିଲେ। “ଆମେ ସୂଚନା ପାଇଲୁ ଯେ ମୋଜତାବା ଖାମେନେଇ ସୁସ୍ଥ ଅଛନ୍ତି ଏବଂ ନେତୃତ୍ୱ ନେବାକୁ ସକ୍ଷମ ଅଟନ୍ତି; ଆମେ ସ୍ଥିର କଲୁ ଯେ ଦେଶ ପରିଚାଳନା ପାଇଁ ଆବଶ୍ୟକ ଧାର୍ମିକ ଯୋଗ୍ୟତା, ନ୍ୟାୟପରାୟଣତା ଏବଂ ଦକ୍ଷତା ଭଳି ମାନଦଣ୍ଡଗୁଡ଼ିକ ତାଙ୍କଠାରେ ରହିଛି।
