ଭଂଜନଗର: ଆଇନ୍ କିମ୍ବା ପୋଲିସକୁ ଖାତିରି ନଥିଲା । ଜନଗହଳି ରାସ୍ତାରେ ଖଣ୍ଡା ଏବଂ ଠେଙ୍ଗା ଧରି ଆତଙ୍କରାଜ୍ ସୃଷ୍ଟି କରିଥିଲେ, କିଛି ଅସାମାଜିକ ଯୁବକ । ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢ଼େଇଗାଁ ନିକଟରେ ନଜରକୁ ଆସିଥିଲା ଏଭଳି ଘଟଣା । ଯାହାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଖଣ୍ଡା ଏବଂ ଠେଙ୍ଗା ଧରି କାର୍ ରୁ ଓହ୍ଲାଇଥିଲେ କିଛି ଯୁବକ । ପଛେ ପଛେ ବାଇକ୍ ରେ ମଧ୍ୟ ଆସିଥିଲେ, କିଛି ସହଯୋଗୀ । ସେମାନେ ମଧ୍ୟ ହାତରେ ଖଣ୍ଡା ଧରିଥିଲେ । କିଛି ସମୟପରେ ଗାଁ ନିକଟକୁ ଯାଇ, ଜଣେ ଯୁବକ କାହ୍ନୁ ପ୍ରଧାନକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ସଂପୃକ୍ତ ଯୁବକ ଜଣକୁ ବେକ ଏବଂ ଗୋଡରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଂଜନଗର ଏବଂ ପରେ, ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେ ଏବେ ଚିକିତ୍ସାଧୀନ ରହିଛନ୍ତି । ଏନେଇ ବେଲଗୁଣ୍ଠା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ, ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ କା,ର୍ ୪ ଟି ବାଇକ୍ ଏବଂ ଖଣ୍ଡା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ବେଲଗୁଣ୍ଠା ଥାନା ଅଞ୍ଚଳରେ ଏଭଳି ଆତଙ୍କରାଜ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଏବେ ଭୟଭୀତ ହୋଇ ପଡ଼ିଛନ୍ତି ।
