ଭଂଜନଗର: ଲଗାଣ ବର୍ଷାରେ, ମାଟିଘର କାନ୍ଥ ଭୁଷୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ । ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଗାଁରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ୭୫ ବର୍ଷିୟା, ହେମ ନାଇକ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି, ଜଙ୍ଗଲି ନାଳରେ ବନ୍ୟା ପାଣି ଆସିଯିବାରୁ ମେଡ଼ିକାଲକୁ ଯାଇପାରିଲେ ନାହିଁ, ଗର୍ଭବତୀ ମହିଳା । ଭଂଜନଗର ଥାନା ଅନ୍ତର୍ଗତ ବଣ ପାହାଡ ଘେରା ଉପାନ୍ତ ଅଞ୍ଚଳ କୁହାଯାଉଥିବା, ତଡମା ଗାଁରେ ନଜରକୁ ଆସିଥିଲା ଏଭଳି ଘଟଣା । ଖବର ପାଇ ଭଂଜନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି, ଗର୍ଭବତୀ ମହିଳାଙ୍କୁ ନଦୀ ପାର କରାଇ ମେଡିକାଲ କୁ ଆଣିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଗାଁକୁ ଲାଗି ରହିଥିବା ଜଙ୍ଗଲି ନାଳରେ ହଠାତ୍ ବନ୍ୟାଜଳ ମାଡ଼ି ଆସିଥିଲା । ଅଗ୍ନିଶମ ବାହିନୀ ବୋଟ୍ ସାହାଯ୍ୟରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ଆଣିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ବନ୍ୟାଜଳର ପ୍ରକୋପ ବିପଦ ଶଙ୍କୁଳ ରହିଥିବାରୁ ତାଙ୍କୁ ନଦୀ ପାର କରିବା ସମ୍ଭବ ହୋଇ ପାରିଲା ନାହିଁ । ଏହା ଭିତରେ ମହିଳା ଜଣକ ଫେରିଯାଇ, ନିଜ ଘରେ ପ୍ରସବ କରିଥିଲେ । ଅନ୍ୟପକ୍ଷରେ ତିନିଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ, ଭଂଜନଗର ଓ ବେଲଗୁଣ୍ଠା ବ୍ଳକର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବାରୁ, ରାସ୍ତା ଅବରୋଧ ହୋଇଥିଲା । ସେଠାରେ ମଧ୍ୟ, ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ସମସ୍ତ ସ୍ଥାନରେ ପହଞ୍ଚି ପଡିଥିବା ଗଛ ଗୁଡ଼ିକୁ କାଟି, ରାସ୍ତା ଅବରୋଧ ହଟାଇ ଥିଲେ ।
