ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟା ଗ୍ରାମ ଛକ ନିକଟ ପୋଖରୀ ପାଖ ମୁଖ୍ୟ ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଫେରାର ଅଭିଯୁକ୍ତ କାର ଚାଳକଙ୍କୁ ଗିରଫ କରିବାରେ ଲାଠୋର ପୋଲିସକୁ ବଡ଼ ସଫଳତା ମିଳିଛି।ମାତ୍ର କିଛି ଘଣ୍ଟା ମଧ୍ୟରେ ସିସିଟିଭି ଫୁଟେଜ୍?କୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରି ତାଙ୍କ ଗାଁରୁ କାବୁ କରିବା ସହ ଦୁର୍ଘଟଣାଗ୍ରସ୍ତ କାରକୁ ମଧ୍ୟ ଜବତ କରିଛି ପୋଲିସ।ସୂଚନା ଅନୁଯାୟୀ, ଘୁଚାପାଲି ଗ୍ରାମର ଗୋବର୍ଦ୍ଧନ ବନଛୋରଙ୍କ ପୁଅ ଜଗନ୍ନାଥ ବନଛୋର (୨୪) ଶୁକ୍ରବାର ନିଜ ବାଇକ୍? ଯୋଗେ ଘୁଚାପାଲିରୁ ଚଚରାଭଟା ଆସୁଥିବା ସମୟରେ ଚଚରାଭଟା ଛକ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ କାର ତାଙ୍କ ବାଇକ୍?କୁ ଧକ୍କା ଦେଇ ଫେରାର ହୋଇଥିଲା। ଜଗନ୍ନାଥଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ କାର ଯୋଗେ ଖପ୍ରାଖୋଲ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ଖବର ପାଇ ଲାଠୋର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏନେଇ କେସ୍? ନଂ ୧୭୨/୨୦୨୬ରେ ମାମଲା ରୁଜୁ ହୋଇଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ଲାଠୋର ଥାନାଧିକାରୀ ଅଭିନାଶ ପଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍? ଗଠନ କରାଯାଇଥିଲା। ରାତିସାରା ଚାଲିଲା ଅଭିଯାନ। ଫେରାର କାର ଓ ଚାଳକଙ୍କୁ ଧରିବା ପାଇଁ ପୋଲିସ ଟିମ୍? ଶୁକ୍ରବାର ରାତିସାରା ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଥିଲା। ଶେଷରେ ସିସିଟିଭି ଫୁଟେଜ୍?କୁ ଯାଞ୍ଚ କରି ଫେରାର କାରଟିର ଗତିବିଧି ସମ୍ପର୍କରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଥିଲା। ଏହାକୁ ଆଧାର କରି ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଗଞ୍ଜାଡାବର ଗ୍ରାମର କବିରାଜ ମାଝୀଙ୍କ ପୁଅ ଡୋଲାମଣି ମାଝୀ (୩୬)ଙ୍କୁ ଚିହ୍ନଟ କରାଯାଇଥିଲା। ପରେ ପୋଲିସ ଟିମ୍? ଅଭିଯୁକ୍ତଙ୍କ ଗାଁରେ ପହଞ୍ଚି ତାଙ୍କୁ ଘରୁ କାବୁ କରିବା ସହ ଦୁର୍ଘଟଣାରେ ବ୍ୟବହୃତ କାରକୁ ମଧ୍ୟ ଜବତ କରି ଲାଠୋର ଥାନାକୁ ଆଣିଥିଲା। ପୋଲିସର ପଚରାଉଚରା ସମୟରେ ଅଭିଯୁକ୍ତ ଦୁର୍ଘଟଣା ସମ୍ପର୍କରେ ସ୍ୱୀକାର କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଥାନାଧିକାରୀ ଶ୍ରୀ ପଧାନଙ୍କ ସୂଚନା ଅନୁଯାୟୀ, ବିଏନଏସ୍?ର ଧାରା ୨୮୧/୧୦୬(୧) ଅନୁଯାୟୀ ଅଭିଯୁକ୍ତ ଡୋଲାମଣି ମାଝୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ତ୍ୱରିତ ତଦନ୍ତ ଓ ଅଭିଯାନରେ ଲାଠୋର ଏସ୍?ଆଇ ଶେଷଦେବ ସେଠ୍?, ଏଏସ୍?ଆଇ ପ୍ରଫୁଲ୍ଲ କିଷାନ ଏବଂ ହାବିଲଦାର ଧରୁଆ ପ୍ରମୁଖ ସାମିଲ ଥିଲେ। ଅତ୍ୟଳ୍ପ ସମୟ ମଧ୍ୟରେ ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦୂରସ୍ଥ ଗାଁରୁ କାବୁ କରିବା ଏବଂ କାର ଜବତ କରିବା ପୋଲିସ ଟିମ୍?ର ତତ୍ପରତା, ଦକ୍ଷତା ଓ ସମନ୍ୱିତ ତଦନ୍ତର ପରିଚୟ ଦେଇଛି।
