ଆସିକା: ବେଆଇନ ଦେଶୀ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ସହ ଚୋରା ମଦ ଭାଟି ଉଚ୍ଛେଦ ଲକ୍ଷ୍ୟରେ ଆସିକା ଅବକାରୀ ବିଭାଗ ପକ୍ଷରୁ ଚଢାଉ ଓ ଧରପକଡ ଜୋରଦାର କରାଯାଇଛି। ଗତ ଦୁଇ ମାସ ମଧ୍ୟରେ ବିଭାଗ ପକ୍ଷରୁ ୬୩ଟି ମାମଲା ରୁଜୁ କରାଯାଇଥିବା ବେଳେ ୩୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗର ନୂଆ ନୀତି ଅନୁଯାୟୀ ବେଆଇନ ମଦ କାରବାର ରୋକିବା, ରାଜସ୍ୱ ସଂଗ୍ରହ ସହ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିସହ ନିଷିଦ୍ଧ ନିଶାଦ୍ରବ୍ୟର ବେଆଇନ ଚାଷ ଓ କାରବାରକୁ ଚିହ୍ନଟ କରି ନିୟମାନୁସାରେ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ଅଭିଯାନ ଜାରି ରହିଛି।

ଅବକାରୀ ସୁପରିଟେଣ୍ଡେଣ୍ଟ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ସ୍କ୍ୱାଡ୍ ଇନ୍ସପେକ୍ଟର ପ୍ରଦୀପ କୁମାର ମହାନ୍ତି, ଓଆଇସି ଦୀପଦିୟୋତାନ ବିଶ୍ୱାଳ ଓ ଆସିକା ରେଞ୍ଜ ଅବକାରୀ ଇନ୍ସପେକ୍ଟର ମନୀଷା ଭୋଳଙ୍କ ନେତୃତ୍ୱରେ ଅବକାରୀ ଟିମ୍ ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି।ଆସିକା ଓ ଏହାର ଆଖପାଖ ଅଞ୍ଚଳର ବାଲିସିରା, ମୁନିଗାଡି, ଭେଟନଇ, ବାବନପୁର, ଜଗନ୍ନାଥପଲ୍ଲୀ, ଠେଙ୍ଗାପଲ୍ଲୀ, କାଳଷଣ୍ଡପୁର, ଆଇବି ବଙ୍ଗଳା, ନିମିନା, ଗଣ୍ଡପଲ୍ଲୀ, ଅସୁରାଇପଲ୍ଲୀ, ପାକଲାପଲ୍ଲୀ, କଳିଙ୍ଗରୋଡ, କରାତଳି, କେ.ନୂଆପଲ୍ଲୀ, ଧୋବାଡି, ବଡଖୋଲି, କମାଗଡା, ଝଗଡେଇ, କ.ଲଛମନପଲ୍ଲୀ, ଶେରଗଡ ଗୋଠଗାଁ ଓ ଗାଙ୍ଗପୁର କେନାଲ ରୋଡ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।

ଏହି ଚଢାଉ ସମୟରେ ବେଆଇନ ଭାବେ ପ୍ରସ୍ତୁତ ଦେଶୀ ରନ୍ଧା ମଦ ଜବତ କରାଯିବା ସହ ବିପୁଳ ପରିମାଣର ମହୁଲ ଗୁଡ ମିଶ୍ରିତ ପୋଚ ନଷ୍ଟ କରାଯାଇଛି। ଆସିକା ଅବକାରୀ ଥାନାର ସୂଚନା ଅନୁଯାୟୀ, ଅଗଷ୍ଟ ଓ ସେପ୍େଟମ୍ବର ମାସରେ ମୋଟ ୩୨୪୦ ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରାଯାଇଥିବା ବେଳେ ୨୧,୧୫୦ ଲିଟର ପୋଚ ନଷ୍ଟ କରାଯାଇଛି। ଏହି ଚଢାଉରେ ଅବକାରୀ ଥାନା କନେଷ୍ଟବଳ ଜଗନ୍ନାଥ ଶତପଥି, ସିଦ୍ଧାନ୍ତ ବିଷୋୟୀ, ଶ୍ରୀକାନ୍ତ ବେହେରା, ଆସିକା ରେଞ୍ଜ କନେଷ୍ଟବଳ ଗାୟତ୍ରୀ ସେଠ, ଅଜିତ ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ଆଗାମୀ ଦିନରେ ଗ୍ରାମାଞ୍ଚଳ ଓ ଜଙ୍ଗଲିଆ ଅଞ୍ଚଳରେ ଚାଲୁଥିବା ବେଆଇନ ମଦ ଭାଟିଗୁଡିକୁ ଚିହ୍ନଟ କରି ପୋଚ ନଷ୍ଟ କରିବା ସହ ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ଚଢାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ଏଥିସହ ‘ନିଶା ନୁହେଁ ଜୀବନ’ ଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିଶା ସେବନର ଅପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
