ପୁରୀ: ତାଳବଣିଆ ଥାନା ଅନ୍ତର୍ଗତ ଇଲାକାରେ ଘଟିଛି ଅଭାବନୀୟ ଘଟଣା। ପ୍ରେମକୁ ଯୁବତୀ ପ୍ରତ୍ୟାଖ୍ୟାନ କରିବାରୁ ରୋଷେଇ ଘର ଫ୍ୟାନ୍ ପାଇଁ ଲଗାଯାଇଥିବା ଲୁହା କ୍ଲାମ୍ପରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ ଯୁବକ। ମୃତ ଯୁବକ ହେଲେ କୁମୁଟିପାଟଣାର ରାକେଶ ନାୟକ (୨୫)। ପୁଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟକୁ ହସ୍ତାନ୍ତର କରିଛି। ଖବର ନେବାରେ ଜଣାପଡ଼ିଛି ଯେ ଶନିବାର ମଧ୍ୟାହ୍ନ ରେ ରାକେଶ ଘରର ଦ୍ୱିତୀୟ ମହଲା ରୋଷେଇ ଘରେ ଫ୍ୟାନ୍ ପାଇଁ ଲାଗିଥିବା ଲୁହା କ୍ଲାମ୍ପରେ ଗାମୁଛା ବାନ୍ଧି ଝୁଲିପଡ଼ିଥିଲେ। କିଛି ସମୟ ପରେ ପରିବାର ଲୋକେ ରାକେଶକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ରାକେଶକୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସମ୍ପର୍କରେ ଆଇଆଇସି ଅଭିନବ ମିଶ୍ର କହିଛନ୍ତି , ରାକେଶଙ୍କ ମୋବାଇଲକୁ ଜବତ କରାଯାଇଛି। ସାଇଣ୍ଟିଫିକ୍ଟିମ୍ ସହ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ପ୍ରାଥମିକ ତଦନ୍ତରୁ ପ୍ରେମ ଘଟଣାକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତଦନ୍ତ ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ।
