ନୂଆଦିଲ୍ଲୀ: “ଏହା ମୋର ବିଷୟବସ୍ତୁ ନୁହେଁ’ ବୋଲି ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ ସୋମବାର ଦିନ କହିଛନ୍ତି। ଗତ କିଛି ଦିନ ଧରି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ବିରୋଧରେ ହେଉଥିବା ବିକ୍ଷୋଭ ଏବଂ ଏହା ସହ ଜଡିତ କଟକଣା ବିଷୟରେ ପଚରାଯିବାରୁ ସେ ଏହା କହିଥିଲେ। ଏଠାରେ ଥିବା ବିଜ୍ଞାନ ଭବନରେ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି)ର ୩୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ସେ ସାମ୍ବାଦିକମାନଙ୍କ ସହ ଆଲୋଚନା କରୁଥିଲେ। ଗତ କିଛି ଦିନ ମଧ୍ୟରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସପ୍ତାହ ଶେଷ ଛୁଟିଦିନରେ ରାଜଧାନୀ ଏକ ଦୁର୍ଗରେ ପରିଣତ ହୋଇଥିଲା; ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା, ୪୫ଟି ମେଟ୍ରୋ ଷ୍ଟେସନ୍ ବନ୍ଦ ରଖାଯାଇଥିଲା ଏବଂ ସହରର ସୀମାବର୍ତ୍ତୀ ଅଞ୍ଚଳରେ କଡ଼ା ଯାଞ୍ଚ କରାଯାଇଥିଲା। ‘କକ୍ରୋଚ୍ ଜନତା ପାର୍ଟି”ର ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ହଜାର ହଜାର ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଥିଲା। ଏହି ବିକ୍ଷୋଭ ଏବଂ ଚଳପ୍ରଚଳ ଉପରେ ଲଗାଯାଇଥିବା କଟକଣା ବିଷୟରେ ପଚରାଯିବାରୁ ସିଜେଆଇ କହିଥିଲେ ଯେ ଏହି ମାମଲା ଆଇନ-ଶୃଙ୍ଖଳା ସହ ଜଡିତ। ସେ କହିଥିଲେ, ‘ଏହା ମୋର ବିଷୟବସ୍ତୁ ନୁହେଁ।”
