ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଜନସାଧାରଣଙ୍କ ଏକତ୍ର ହେବା କିମ୍ବା ବିକ୍ଷୋଭ ପ୍ରଦର୍ଶନ ପାଇଁ ତିନୋଟି ବିକଳ୍ପ ସ୍ଥାନ ଘୋଷଣା କରିବା ସହ ସରକାର ଦିଲ୍ଲୀର ଜନ୍ତର ମନ୍ତରକୁ ବିକ୍ଷୋଭ ପାଇଁ ନିର୍ଦ୍ଧାରିତ ସ୍ଥାନ ତାଲିକାରୁ ବାଦ୍ ଦେଇଛନ୍ତି। ୧୧ ଅକ୍ଟୋବର ୨୦୨୬ ତାରିଖର ଏହି ନିର୍ଦ୍ଦେଶନାମାରେ ଦିଲ୍ଲୀ ପୋଲିସ୍ କମିଶନର ଅନୁରାଗ କୁମାର ସ୍ୱାକ୍ଷର କରିଛନ୍ତି। ନାଗରିକମାନଙ୍କ ବିକ୍ଷୋଭ ପ୍ରଦର୍ଶନର ଅଧିକାରକୁ ସୁନିଶ୍ଚିତ କରିବା ଲାଗି ଉପଯୁକ୍ତ ବିକଳ୍ପ ସ୍ଥାନଗୁଡ଼ିକର ଯାଞ୍ଚ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଥିଲା। ଏଥିରେ କୁହାଯାଇଛି ଯେ ପୂର୍ବ ଦିଲ୍ଲୀର ରାମଲୀଳା ମଇଦାନ, ବୁରାରି ମଇଦାନ ଏବଂ ସିବିଡି ମଇଦାନକୁ ବର୍ତ୍ତମାନ ବିକ୍ଷୋଭ ଓ ପ୍ରଦର୍ଶନ ଆୟୋଜନ କରିବା ପାଇଁ ନୂତନ ସ୍ଥାନ ଭାବରେ ଚିହ୍ନଟ କରାଯାଇଛି।
ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ, ବର୍ତ୍ତମାନର ନିର୍ଦ୍ଦିଷ୍ଟ ସ୍ଥାନ ପରିବର୍ତ୍ତେ ନାଗରିକମାନଙ୍କର ବିକ୍ଷୋଭ/ପ୍ରଦର୍ଶନ କରିବାର ଅଧିକାର ପାଇଁ ଉପଯୁକ୍ତ ବିକଳ୍ପ ସ୍ଥାନଗୁଡ଼ିକର ଯାଞ୍ଚ କରିବା ଲାଗି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଥିଲା। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ତିନୋଟି ସ୍ଥାନରେ ବିକ୍ଷୋଭ/ପ୍ରଦର୍ଶନ ଆୟୋଜନ କରିବା ପାଇଁ ବିସ୍ତୃତ ଓ ସଂଶୋଧିତ ଏସଓପି ପୃଥକ ଭାବରେ ଜାରି କରାଯିବ। ଏହା ୨୮.୦୪.୨୦୨୨ ତାରିଖର ପୂର୍ବତନ ଷ୍ଟାଣ୍ଡିଂ ଅର୍ଡର ନଂ /୪୮/୨୨ର ଆଂଶିକ ସଂଶୋଧନ ଅଟେ।
