Oplus_131072
ରଘୁନାଥପୁର: କାର୍ଯ୍ୟରତ ପୋଲିସଙ୍କୁ ଦୁର୍ବ୍ୟବହାର କରି ତାରପୁର ଗ୍ରାମର ୫ଜଣ ମହିଳା ରଘୁନାଥପୁର ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ, ଗତ ୧୮ତାରିଖ ଶୁକ୍ରବାର ସଂଧ୍ୟାରେ ରଘୁନାଥପୁର ଥାନା ଅନ୍ତର୍ଗତ ତାରପୁର ବଜାର ନିକଟରେ ଏକ ଗଣେଶ ଭଷାଣୀ କରା ଯାଉଥିଲା। ଏହି ଭଷାଣୀ କାର୍ଯ୍ୟକ୍ରମରେ ତାରପୁର ଗ୍ରାମର କିଛି ପିଲା, ସେମାନଙ୍କର ମା ଓ ଅଭିଭାବକ ମାନେ ଯୋଗ ଦେଇ ଏକ ଟ୍ରଲି ଓ ଅଟୋ ଦ୍ୱାରା ମାଇକ ବଜାଇ ପ୍ରଶେସନ କରି କଟକ ପାରାଦ୍ୱୀପ ରାଜରାସ୍ତାରେ ଯାଉଥିଲେ। ସେଠାରେ ଟ୍ରାଫିକ କଣ୍ଟ୍ରୋଲରେ ଥିବା ରଘୁନାଥପୁର ଥାନାର ଜନୈକ ହୋମଗାର୍ଡ ସେମାନଙ୍କୁ ତୁରନ୍ତ ରାସ୍ତା ପାର କରିଯିବା ସହିତ ମାଇକ ଶବ୍ଦ କମ୍ କରିବାକୁ ତାଗିଦ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରଶେସନରେ ସାମିଲ ଥିବା ଦୁଇ ଜଣ ଯୁବକ ସଂପୃକ୍ତ ହୋମଗାର୍ଡ ଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ରଘୁନାଥପୁର ଥାନା ଆଇଆଇସିଙ୍କୁ ମଧ୍ୟ ଗାଳି କରିଥିଲେ। ଏ କଥାକୁ କାର୍ଯ୍ୟରତ ହୋମଗାର୍ଡ ଜଣକ ଥାନାରେ ଜଣାଇବା ପରେ ଆଇଆଇସି ପ୍ରେମଜିତ ଦାସଙ୍କ ସହ ଅନ୍ୟ ୪ଜଣ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉକ୍ତ ଦୁଇ ଯୁବକଙ୍କୁ ଧରି ଥାନା ଗାଡ଼ିରେ ବସିବାକୁ କହିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୪୦ରୁ ଉର୍ଦ୍ଧ ମହିଳା ପୋଲିସଙ୍କୁ ଠେଲାପେଲା ସହ ଆକ୍ରମଣ କରି ଉକ୍ତ ଦୁଇ ଯୁବକଙ୍କୁ ପୋଲିସ ନିକଟରୁ ଛଡ଼ାଇ ନେଇ ବିଭିନ୍ନ ପ୍ରକାରର ବିଶୃଙ୍ଖଳିତ ମତ୍ନବ୍ୟ ଦେଇଥିଲେ। ଏହି ଘଟଣାରେ ରଘୁନାଥପୁର ପୋଲିସ ୧୬୪/୨୬ରେ ଏକ ମାମଲା ରୁଜୁ କରି ବିଶୃଙ୍ଖଳିତ ୫ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୁତ୍ରରୁ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ସଂପୃକ୍ତ ହୋମଗାର୍ଡ ପ୍ରଶେସନ ପାଇଁ କୈଣସି ଆଇନଗତ ଅନୁମତି ନଥିବାରୁ ପୂର୍ବରୁ ସଂପର୍କ ଥିବା ଉକ୍ତ ଦୁଇ ଯୁବକଙ୍କୁ ୧ହଜାର ଟଙ୍କା ମାଗିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରଶେସନରେ ସାମିଲ ଥିବା କିଛି ସଦସ୍ୟ କହିଛନ୍ତି। ପ୍ରଦିପ୍ତ କୁମାର ନାୟକ, ରଘୁନାଥପୁର
