ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ଅଟକ ରଖାଯାଇଥିବା ସ୍ଥାନରୁ ମୁକ୍ତ ହେବା ପରେ, କକ୍ରୋଚ ଜନତା ପାର୍ଟି (ସିଜେପି)ର ଶୀର୍ଷ ନେତାମାନେ ରବିବାର ଦିନ ଏସଆଇଆର ପ୍ରସଙ୍ଗରେ ସେମାନଙ୍କର ବିରୋଧ ପ୍ରଦର୍ଶନକୁ ସାରା ଦେଶରେ ବ୍ୟାପକ କରିବାକୁ ସଂକଳ୍ପ ନେଇଛନ୍ତି; ତେବେ ରାଜଧାନୀରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଉ ୧୦୦ ଜଣଙ୍କୁ ଅଟକ ରଖାଯାଇଛି। ଏକ ସ୍ୱତନ୍ତ୍ର ଶୁଣାଣିରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେଉଥିବା ଲୋକଙ୍କୁ ବେଆଇନ ଭାବେ ଅଟକ ରଖାଯିବା ଉଚିତ ନୁହେଁ। କୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀ ମେଟ୍ରୋ ସେବା ସ୍ୱାଭାବିକ ଭାବେ ଚାଲୁ ରହିବା ଏବଂ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବାରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ, ତାହା ସୁନିଶ୍ଚିତ କରାଯାଉ। ସିଜେପିର ନେତା ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଏବଂ ସୌରଭ ଦାସ – ଯେଉଁମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ “ଶାନ୍ତି ଭଙ୍ଗ ନ କରିବା’ ସର୍ତ୍ତରେ ମୁକ୍ତ କରାଯାଇଥିଲା – ଦାବି କରିଛନ୍ତି ଯେ ସେମାନଙ୍କୁ ଅଟକ ରଖିବା ଘଟଣା ବେଆଇନ ଥିଲା ଏବଂ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ସେମାନଙ୍କର ବିରୋଧ ଜାରି ରହିବ। ପରବର୍ତ୍ତୀ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରଙ୍କା କହିଥିଲେ, “ଆମେ କୌଣସି ଭୟଙ୍କର ଅପରାଧୀ ନୁହଁ; ଆମେ ବିରୋଧ ପ୍ରଦର୍ଶନ କରିବା ପାଇଁ ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହାଙ୍କ ଘରକୁ ଯାଉନାହୁଁ। ନିର୍ଦ୍ଧାରିତ ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ଶାନ୍ତି ଭଙ୍ଗ କରିବା ନୁହେଁ। ଦିଲ୍ଲୀ ପୋଲିସ କହିଛି ଯେ “ଏକ ବର୍ଷ ପାଇଁ ଶାନ୍ତି ଓ ଉତ୍ତମ ଆଚରଣ ବଜାୟ ରଖିବା ସର୍ତ୍ତରେ ୫୦,୦୦୦ ଟଙ୍କାର ଜାମିନ ବଣ୍ଡ (ସୁରିଟି ବଣ୍ଡ) ଦାଖଲ କରାଯିବା ପରେ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ କୋର୍ଟ ଏହି ତିନିଜଣଙ୍କୁ ମୁକ୍ତ କରିଥିଲେ। ରଙ୍କା କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମେ ଉତ୍ତରଦାୟିତ୍ୱ ହାସଲ ନ କରିଛୁ, ସେପର୍ଯ୍ୟନ୍ତ କେବଳ ଦିଲ୍ଲୀରେ ନୁହେଁ ବରଂ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ସେ କହିଛନ୍ତି। ଶନିବାର ଦିନ ସିଇସି କୁମାରଙ୍କ ବିରୋଧରେ ଯୋଜନାବଦ୍ଧ ବିକ୍ଷୋଭ ପାଇଁ ଜନ୍ତର-ମନ୍ତର ଅଭିମୁଖେ ଯିବାକୁ ଉଦ୍ୟମ କରୁଥିବା ପ୍ରାୟ ୭,୦୦୦ ବିକ୍ଷୋଭକାରୀଙ୍କୁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଭିନ୍ନ ସ୍ଥାନରେ ଅଟକ ରଖାଯାଇଥିଲା। ଏହି ସମସ୍ତ ଅଟକ ବ୍ୟକ୍ତିଙ୍କୁ ପରେ ମୁକ୍ତ କରାଯାଇଛି। ସିଜେପି ଏବଂ ବିରୋଧୀ ଦଳଗୁଡ଼ିକ ଏହି ଅଟକ ପ୍ରକ୍ରିୟାକୁ ବେଆଇନ ବୋଲି ଅଭିଯୋଗ କରିଥିବାବେଳେ, ଦିଲ୍ଲୀ ପୋଲିସ୍ ଦାବି କରିଛି ଯେ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ଏହି ପ୍ରତିଷେଧକମୂଳକ ଗିରଫଦାରୀ କରାଯାଇଥିଲା। ମୁଖ୍ୟ ନିର୍ବାଚନ କମିଶନର କୁମାର ଏବଂ ଏସଆଇଆର ବିରୋଧରେ ଚଳିତ ମାସରେ ରାସ୍ତାରେ ଲଗାତାର ବିକ୍ଷୋଭ ଦେଖିଥିବା ଦେଶର ରାଜଧାନୀ, ସୋମବାର ଦିନ ଇଣ୍ଡିଆ ମେଣ୍ଟ ଦ୍ୱାରା ଆୟୋଜିତ ଅନ୍ୟ ଏକ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ସେ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ “ଭୋଟ୍ ଚୋରି’ ପ୍ରସଙ୍ଗରେ ଭାରତର ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଲୋଡ଼ିବା ପାଇଁ ସୋମବାର ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ତାଙ୍କୁ ଭେଟିବାକୁ ସମୟ ମାଗିଛନ୍ତି।
