ମୁମ୍ବାଇ: “ରାମାୟଣ’ର ନିର୍ମାତାମାନେ ଘୋଷଣା କରିଛନ୍ତି ଯେ ଏହାର ପ୍ରଥମ ଭାଗ ଚଳିତ ବର୍ଷ ନଭେମ୍ବର ୫ ତାରିଖରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ। ଏହା ସହିତ ଭାରତରେ ରିଲିଜ୍ ହେବା ସମୟକୁ ବିଦେଶୀ ରିଲିଜ୍ ସହିତ ସମାନ କରାଯାଇଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟି ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭର ତିନି ଦିନ ପରେ, ଅର୍ଥାତ୍ ନଭେମ୍ବର ୮ ତାରିଖରେ ଭାରତରେ ମୁକ୍ତିଲାଭ କରିବାର ଥିଲା। ନବରାତ୍ରିର ପ୍ରଥମ ଦିନରେ ଏହି ଘୋଷଣା କରାଯାଇଥିଲା ଏବଂ ଏଥିସହ ଏକ ନୂତନ ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ପୋଷ୍ଟରରେ ରଣବୀର କପୁର (ଶ୍ରୀରାମ), ସାଇ ପଲ୍ଲବୀ (ସୀତା), ରବି ଦୁବେ (ଲକ୍ଷ୍ମଣ) ଏବଂ “ରକିଂ ଷ୍ଟାର ୟଶ (ରାବଣ)ଙ୍କୁ ଦେଖିବାକୁ ମିଳିଛି। ପୋଷ୍ଟରରେ “ୟେ ରାମ୍ କେ ଯୁଗ୍ କା ଆରମ୍ଭ ହୈ’ ବାର୍ତ୍ତା ରହିଛି, ଯାହା ଚଳଚ୍ଚିତ୍ରର ପ୍ରଚାର ଅଭିଯାନର ଆରମ୍ଭକୁ ସୂଚିତ କରୁଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ଭାରତୀୟ ଦର୍ଶକମାନେ ଏବେ ବିଦେଶୀ ଦର୍ଶକଙ୍କ ସହିତ ନଭେମ୍ବର ୫ ତାରିଖରେ ଏହି ଚଳଚ୍ଚିତ୍ର ଦେଖିପାରିବେ। ନିର୍ମାତାମାନେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଦଶହରା ଅବସରରେ ଆଡଭାନ୍ସ ବୁକିଂ ଆରମ୍ଭ ହେବ। ସୋସିଆଲ ମିଡିଆରେ ଏହି ଘୋଷଣା ସେୟାର କରି ଟିମ୍ ଲେଖିଛି, “ନବରାତ୍ରିର ଶୁଭ ଅବସରରେ ଆମେ ଏକ ନୂତନ ଯୁଗର ଆରମ୍ଭକୁ ପାଳନ କରୁଛୁ। ୟେ ରାମ୍ କେ ଯୁଗ୍ କା ଆରମ୍ଭ ହୈ”। ନମିତ ମଲହୋତ୍ରାଙ୍କ ‘ରାମାୟଣ” ଭାଗ-୧: ନଭେମ୍ବର ୫ରୁ ସମସ୍ତ ପ୍ରିମିୟମ୍ ଫର୍ମାଟ୍ରେ ବିଶ୍ୱବ୍ୟାପୀ ସିନେମାଘରରେ ମୁକ୍ତିଲାଭ କରିବ। ଦଶହରାରେ ଆଡଭାନ୍ସ ବୁକିଂ ଆରମ୍ଭ ହେବ। ଏହି ଚଳଚ୍ଚିତ୍ରଟି ନାମିତ୍ ମଲହୋତ୍ରାଙ୍କ “ପ୍ରାଇମ୍ ଫୋକସ୍ ଷ୍ଟୁଡିଓସ୍’ଦ୍ୱାରା ଊଘଋଏ ଏବଂ ୟଶ୍ଙ୍କ “ମନଷ୍ଟର ମାଇଣ୍ଡ କ୍ରିଏସନ୍ସ’ ସହ ମିଳିତ ଭାବେ ନିର୍ମିତ ହେଉଛି। ଏହାର ପ୍ରଥମ ଓ ଦ୍ୱିତୀୟ ଭାଗ ୫ଟି ଭାଷାରେ ମୁକ୍ତିଲାଭ କରିବ। ପ୍ରଥମ ଭାଗଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ ଏବଂ ଏହାକୁ ଆଇମାକ୍ସ ତଥା ଅନ୍ୟାନ୍ୟ ପ୍ରିମିୟମ୍ ଫର୍ମାଟରେ ପ୍ରଦର୍ଶନ କରିବା ପାଇଁ ଯୋଜନା କରାଯାଇଛି। ଭାରତ ବାହାରେ ବିଶ୍ୱସ୍ତରୀୟ ବିତରଣ ଦାୟିତ୍ୱ “ସୋନି ପିକ୍ଚର୍ସ’ ବହନ କରିବ, ଯେତେବେଳେ କି “ଧର୍ମା ପ୍ରଡକ୍ସନ୍ସ’ ହିନ୍ଦୀ-ଭାଷୀ ବଜାରରେ ଏହି ଚଳଚ୍ଚିତ୍ରର ବିତରଣ କରିବ। ଦ୍ୱିତୀୟ ଭାଗଟି ୨୦୨୭ ମସିହା ଦୀପାବଳି ସମୟରେ ମୁକ୍ତିଲାଭ କରିବାକୁ ସ୍ଥିର କରାଯାଇଛି।
