ପୁରୀ: ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଏକ ସ୍ଥାୟୀ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୧୯୪ ଦିନରେ ପହଞ୍ଚିଛି। ୧ ଅପ୍ରେଲ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ଶାନ୍ତିପୂର୍ଣ୍ଣ ଅଭିଯାନ ମାଧ୍ୟମରେ ସତ୍ୟାଗ୍ରହୀମାନେ ନିଜର ନ୍ୟାୟସଙ୍ଗତ ଦାବିକୁ ନିରନ୍ତର ଉପସ୍ଥାପନ କରିଆସୁଛନ୍ତି। ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ପଦଯାତ୍ରା ଆରମ୍ଭ କରି ସିଂହଦ୍ୱାର ନିକଟରେ ପହଞ୍ଚୁଥିବା ପଦଯାତ୍ରୀମାନେ ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଦାବି ପୂରଣ ଓ ମହାପ୍ରଭୁଙ୍କ କୃପା ପାଇଁ ପ୍ରାର୍ଥନା କରୁଛନ୍ତି।

ଦୀର୍ଘଦିନ ଧରି ଅବିଚଳିତ ଭାବେ ଜାରି ରହିଥିବା ଏହି ପଦଯାତ୍ରା ସେମାନଙ୍କ ଦୃଢ଼ ମନୋବଳ, ଭକ୍ତି ଓ ଅଧିକାର ପ୍ରତି ସଚେତନତାର ପରିଚୟ ଦେଉଛି।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ପାଇଁ ସମ୍ମାନଜନକ, ସୁଗମ ଓ ନିୟମିତ ଦର୍ଶନର ସୁଯୋଗ ସୁନିଶ୍ଚିତ କରିବା ଏହି ଆନ୍ଦୋଳନର ପ୍ରମୁଖ ଉଦ୍ଦେଶ୍ୟ। ଏହି ଦାବିର ସମାଧାନ ପାଇଁ ପ୍ରଶାସନ ଗୁରୁତ୍ୱର ସହ ପଦକ୍ଷେପ ନେବା ସହ ଆଲୋଚନା ମାଧ୍ୟମରେ ସ୍ଥାୟୀ ସମାଧାନର ପଥ ଖୋଲିବା ଆବଶ୍ୟକ। ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଶାନ୍ତି, ଶୃଙ୍ଖଳା ଓ ଅହିଂସାର ମାର୍ଗରେ ସେମାନଙ୍କ ସଂଘର୍ଷ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅବ୍ୟାହତ ରହିବ। ରବିବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ଅଭିମନ୍ୟୁ ରାୟଗୁରୁ, ନୃସିଂହନାଥ ନାୟକ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ଭାରତୀ ମହାନ୍ତି, ଅଞ୍ଜୁବାଳା ମହାନ୍ତି, ନିହାରିକା ତ୍ରିପାଠୀ, ଦୀପା ବେହେରା, ସୀତା ନାୟକ, ଶାଳିନୀ ପ୍ରଧାନ, ରୂପା ବେହେରା, ମମତା ସ୍ୱାଇଁ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗ ଦେଇଥିଲେ।

ପୁରୀବାସୀଙ୍କ ଧାର୍ମିକ ଭାବନା ଓ ନ୍ୟାୟସଙ୍ଗତ ଦାବିକୁ ସମ୍ମାନ ଜଣାଇ ପ୍ରଶାସନ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ବୋଲି ପଦଯାତ୍ରୀମାନେ ଆହ୍ୱାନ ଦେଇଛନ୍ତି। ଦୃଢ଼ ସଂକଳ୍ପ, ଶାନ୍ତି ଓ ଅହିଂସାକୁ ଆଧାର କରି ଏହି ଜନସଚେତନତା ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।
