ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ତାମ୍ବିପଦର ଛକ ନିକଟରେ ଛୁରୀରେ ଆକ୍ରମଣ ଏବଂ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଖପ୍ରାଖୋଲ ପୁଲିସ ଜଣେ ଅଭିଯୁକ୍ତଙ୍କୁ ହରିଶଙ୍କରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ, ନାନ୍ଦୁପଲା ଗ୍ରାମର ମୁଖ୍ୟ ବେହେରା (୪୦) ଗତ ୧୭ ତାରିଖରେ ଖପ୍ରାଖୋଲ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ୧୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ ତାମ୍ବିପଦର ଛକ ନିକଟରେ ତୁଳସୀରାମ ପ୍ରଧାନୀ ଓରଫ (ବିଶ୍ୱ) ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଲୁହା ରଡ୍?ରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଅଭିଯୋଗକାରୀ ଲୁହା ରଡ୍?ଟି ଧରି ନେବା ପରେ ଅଭିଯୁକ୍ତ ଏକ ଛୁରୀ ବାହାର କରି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ତାଙ୍କ ବାମ କହୁଣୀ ସମେତ ଶରୀରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ ଆଘାତ ଲାଗିଥିବା ଅଭିଯୋଗରେ ଦର୍ଶାଯାଇଛି। ଏହି ଅଭିଯୋଗ ଆଧାରରେ ଖପ୍ରାଖୋଲ ଥାନାରେ କେସ୍ ନଂ. ୧୯୪/୨୦୨୬ ରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୨୯୬/୩୫୧(୨)/୧୦୯(୧) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ କରି ଖପ୍ରାଖୋଲ ପୁଲିସ ହରିଶଙ୍କରରୁ ଅଭିଯୁକ୍ତ ବିଶ୍ୱକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଲିଙ୍ଗରାଜ କିଷାନ ସୂଚନା ଦେଇଛନ୍ତି। ଜଣାପଡ଼ିଛି ଯେ, ଅଭିଯୁକ୍ତ ବିଶ୍ୱ ନାମରେ ପୂର୍ବରୁ ଖପ୍ରାଖୋଲ ଥାନାରେ ୧୦ଟି ମାମଲା ପଞ୍ଜିକୃତ ହୋଇ ମାମଲାଗୁଡ଼ିକର ଆଇନଗତ ପ୍ରକ୍ରିୟା ଚାଲିଛି । ପୂର୍ବରୁ ଏକାଧିକ ମାମଲା ରହିଥିବା ସତ୍ତ୍ୱେ ପୁଣି ଏପରି ଅପରାଧିକ ଘଟଣାରେ ଜଡ଼ିତ ହେବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାକୁ ଘୋର ନିନ୍ଦା କରାଯାଇଛି।
