ପୁରୀ: ପୁରୀ ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚ ପୁରୀ ପକ୍ଷରୁ ରେଡକ୍ରସ ବିଦ୍ୟୁତ କାର୍ୟ୍ୟାଳୟ ସମ୍ମୁଖରେ ମିଟର ରିଡର ଓ ବିଲ କଲେକ୍ଟର ମାନେ ଧାରଣା ଓ ଘେରାଉ କରିଛନ୍ତି । କର୍ମଚାରୀ ମାନେ ସୁଜନିକ୍ସ କମ୍ପାନୀ ଅଧୀନରେ କାର୍ୟ୍ୟ କରୁଛନ୍ତି । ଥ୍ରି ଫେଜ ମିଟର ରିଡର ଓ ସୁପରଭାଇଜର ମାନଙ୍କର ବେଆଇନ ଭାବେ ଶ୍ରମ ଆଇନ ଉଲଂଘନ କରି ଦରମା କାଟିବା ଅଭିଯୋଗ କରିଛନ୍ତି । ଜିଲ୍ଲା ଶ୍ରମ କାର୍ୟ୍ୟାଳୟରେ ଏ ସମ୍ପର୍କରେ କଥାବାର୍ତ୍ତା ଚାଲିଥିବା ବେଳେ ଏହି ବେଆଇନ ୫୦ ପ୍ରତିଶତରୁ ଅଧିକ ଦରମା କାଟ କରାଯାଇଛି । ଓଡ଼ିଶା ଶ୍ରମ ଆଇନ ଅନୁସାରେ କୌଣସି କର୍ମଚାରୀଙ୍କ ଦରମାରୁ ନିୟମ ବହିର୍ଭୂତ ଜୋରିମାନା କଟା ଯାଇ ପାରିବନାହିଁ । ଏହି ବେଆଇନ ଦରମା କାଟି ରଖିଥିବା ବେଳେ ତାହାକୁ ଫେରସ୍ତ କରିବା ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶ୍ରମ କାର୍ୟ୍ୟାଳୟ, ପୁରୀ ବିଦ୍ୟୁତ ବିଭାଗର ଟିପିସିଓଡିଏଲ ଅଧୀକ୍ଷଣ ଯନ୍ତ୍ରୀ,ସୁଜନିକ୍ସ ପ୍ରାଇଭେଟ ଲିମିଟେଡ ପୁରୀର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀ, ଲେବର କମିଶନର, ପୁରୀ ଜିଲ୍ଲାପାଳ, ଏସପିଙ୍କୁ ଏହାର ଲିଖିତ ନକଲ ପ୍ରଦାନ କରିଛନ୍ତି । ଏହି ଧାରଣା ଓ ଘେରାଉରେ ଓଡ଼ିଶା ପାୱାର ଏମ୍ପ୍ଲଇଜ୍ ୟୁନିୟନର ପୁରୀ ସମ୍ପାଦକ ବିଦ୍ୟାଧର ନାୟକ, ଶ୍ରୀକ୍ଷେତ୍ର ବିଦ୍ୟୁତ କର୍ମଚାରୀ ସଂଘର ସମ୍ପାଦକ ମନୋଜ କୁମାର ରାଉତରାୟ, ପୁରୀ ସେସୁ ମିଟର ରିଡଙ୍ଗ ଓ ବିଲ କଲେକସନ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ନୃସିଂହ ଚରଣ ଦାସ ଓ ମଞ୍ଚ ର ସଭାପତି ଶ୍ରୀକାନ୍ତ ପରିଜାଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ ।
