ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଥାନା ଅଧୀନ ଝାକ୍ରିପାଲି ଗ୍ରାମ ନିକଟରେ ଶୁକ୍ରବାର ଦିନ ପ୍ରାୟ ୨ଟା ସମୟରେ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହୋଇ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ କାର୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ସୂଚନା ଅନୁଯାୟୀ, ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରାହ ପଞ୍ଚାୟତର ଉଜ୍ ବାହାଲ ଗ୍ରାମର ରାଜୁ ମଲ୍ଲିକ ଝାକ୍ରିପାଲି ଗ୍ରାମରେ ବିବାହ କରି ରହୁଥିବା ଜଣେ ସମ୍ପର୍କୀୟ ଝିଅଙ୍କ ଘରକୁ ନୂଆଁଖାଇର ଚୁରାକୁଣା ଦେଇ ନିଜ ବାଇକ୍ରେ ଫେରୁଥିଲେ। ଝାକ୍ରିପାଲି ରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଓଡି-୦୩-ଡବ୍ଲ୍ୟୁ-୭୭୪୮ ନମ୍ବର ବିଶିଷ୍ଟ ଏକ ଆର୍ଟିଗା କା?ର୍ ତାଙ୍କ ବାଇକ୍?କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଧକ୍କା ପରେ ରାଜୁ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ କା?ର୍ଟି ନ ଅଟକି ଘଟଣାସ୍ଥଳରୁ ଚାଲିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଖପ୍ରାଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ରାଜୁ ମଲ୍ଲିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିଶା ସେବନକୁ ନେଇ ଚର୍ଚ୍ଚା ହେଉଛି। କାର୍ ଚାଳକ ନିଶାସକ୍ତ ଥିବା ଏବଂ ବାଇକ୍ ଚାଳକ ମଧ୍ୟ ନିଶାରେ ଥିବା ନେଇ କିଛି ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି। ତେବେ ଏହାର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନୁହେଁ, ରାସ୍ତାରେ ଚାଲୁଥିବା ଅନ୍ୟ ନିରୀହ ଲୋକଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଥାଏ। ‘ନିଶା କରି ଗାଡ଼ି ଚଳାଇବା’ ଏକ ମୁହୂର୍ତ୍ତର ଭୁଲ ହୋଇପାରେ, କିନ୍ତୁ ତାହାର ପରିଣାମ ସାରା ଜୀବନର ଦୁଃଖ ହୋଇପାରେ। ତେଣୁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ବିରୋଧରେ କଠୋର ଯାଞ୍ଚ ଓ ସଚେତନତା ଅଭିଯାନ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଘଟଣାଟି ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।
