ବାରିପଦା ; କୁକୁର ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ଏକ ମାଈ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା,କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆଁ ସେକ୍ସନର ଭଞ୍ଜବେଡ଼ା ଗ୍ରାମପଞ୍ଚାୟତ ଅଧୀନ ଝୁମକାପାଳ ଅଞ୍ଚଳରୁ ବନ ବିଭାଗ ପକ୍ଷରୁ ଏହି ଆହତ ହରିଣକୁ ମଙ୍ଗଳବାର ଦିନ ଭୋର ସମୟରେ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ବୁଲା କୁକୁରମାନେ ହରିଣଟିକୁ ଆକ୍ରମଣ କରି ତା’ର ପଛ ଗୋଡ଼ରେ କାମୁଡ଼ି ଗୁରୁତର କ୍ଷତ ସୃଷ୍ଟି କରିଥିଲେ। ଆହତ ଅବସ୍ଥାରେ ହରିଣଟି ଅସହାୟ ଭାବେ ପଡ଼ିଥିବା ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ। ପରେ ହରିଣଟିର ଚିକିତ୍ସା ଆରମ୍ଭ କରାଯାଇଥିଲେ ମଧ୍ୟ ଅବସ୍ଥାରେ ସୁଧାର ନଆସିବାରୁ ଶେଷରେ ତା’ର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ହରିଣଟିର ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ରରୁଆଁ ସେକ୍ସନ କାର୍ଯ୍ୟାଳୟ ପରିସରରେ ଗର୍ତ୍ତ ଖୋଳି ହରିଣଟିକୁ ନିୟମାନୁସାରେ ପୋତି ଦିଆଯାଇଥିଲା। ଏହି ସମୟରେ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ସମେତ ସ୍ଥାନୀୟ ବନପାଳ ଓ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ପ୍ରକ୍ରିୟା ତଦାରଖ କରିଥିଲେ। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ାଇଛି।
