ଆସିକା: ଆସିକା ଋଷିକୂଲ୍ୟା ନଦୀରେ ସ୍ନାନ କରିବାକୁ ଯାଇ ଜଣେ ୨୨ ବର୍ଷୀୟ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଆସିକା କୁମ୍ଭାର ସାହିର ସଞ୍ଜୟ କୁମାର ବେହେରା (୨୨) ଏବଂ ସେ କୈଳାସ ବେହେରାଙ୍କ ପୁଅ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସଞ୍ଜୟ ସ୍ନାନ କରିବା ପାଇଁ ଋଷିକୂଲ୍ୟା ନଦୀକୁ ଯାଇଥିଲେ। ତେବେ ନଦୀରେ ସ୍ନାନ କରୁଥିବା ସମୟରେ ସେ ବୁଡ଼ି ଯାଇଥିଲେ ବୋଲି ଖବର ମିଳିଛି । ଯୁବକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କୁମ୍ଭାର ସାହିରେ ଶୋକର ଛାୟା ଖେଳିଯାଇଥିଲା। ଅନ୍ୟପକ୍ଷରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ମୃତ ଦେହକୁ ସାହିରେ ରଖି ଧାରଣା ଦେବା ସହ ରାସ୍ତାରୋକ କରିଥିଲେ। ଖବର ପାଇ ଆସିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲା। ପରେ ପୁଲିସର ହସ୍ତକ୍ଷେପରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏଥିସହ ରାସ୍ତାରୋକ ମଧ୍ୟ ହଟିଥିଲା। ଯୁବକଙ୍କ ଅକାଳ ବିୟୋଗରେ ପରିବାରବର୍ଗ ଓ ସାହିବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।
