ବାରିପଦା: ମାନବସେବା ହିଁ ମହତ୍ ସେବା। ରକ୍ତଦାନ ମାଧ୍ୟମରେ ଅନ୍ୟର ଜୀବନ ବଞ୍ଚାଇବାଠାରୁ ବଡ଼ ପୁଣ୍ୟକାର୍ଯ୍ୟ ଆଉ କିଛି ନାହିଁ। ଏହି ମହତ୍ ଚିନ୍ତାଧାରାକୁ ନିଜ ଜୀବନର ଲକ୍ଷ୍ୟ କରି ଦୀର୍ଘଦିନ ଧରି ନିରନ୍ତର ରକ୍ତଦାନ ଓ ପ୍ଲେଟଲେଟ୍ ଦାନ କରି ଆସୁଥିବା ବାରିପଦାର ସମାଜସେବୀ ଡ. ନିରୋଜ କୁମାର ପୋଥାଳଙ୍କୁ ଭୁବନେଶ୍ୱରଠାରେ ସମ୍ମାନିତ କରାଯାଇଛି। ଓଡ଼ିଶାର ଅଗ୍ରଣୀ ସେବା ଅନୁଷ୍ଠାନ ‘ଆମ ସେବା ପରିବାର ଟ୍ରଷ୍ଟ’ର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ସମ୍ମାନ ସମାରୋହ ଭୁବନେଶ୍ୱରସ୍ଥିତ ବୁଦ୍ଧ ଟେମ୍ପଲ୍ ଅଡିଟୋରିୟମଠାରେ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅନେକ ନିୟମିତ ରକ୍ତଦାତା ଓ ସମାଜସେବୀଙ୍କୁ ସେମାନଙ୍କର ନିଃସ୍ୱାର୍ଥ ସେବା ଓ ସମାଜ ପ୍ରତି ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଡ. ନିରୋଜ କୁମାର ପୋଥାଳଙ୍କୁ ମଞ୍ଚାସୀନ ଅତିଥିମାନେ ମାନପତ୍ର, ଉତ୍ତରୀୟ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ଅନୁଷ୍ଠାନର ସଭାପତି ସୌରଭ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ, ଶ୍ରୀମତୀ ସଭନା ମହାନ୍ତି, ପ୍ରବୀଣ କୁମାର ତ୍ରିପାଠୀ, ଡ. ଚନ୍ଦ୍ରିକା ଦାସ, ଡ. (ମେଜର) ମୁକୁନ୍ଦ ଚନ୍ଦ୍ର ସାହୁ ଓ ଡ଼ଃ ରତି ରଞ୍ଜନ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ, ଡ. ନିରୋଜ କୁମାର ପୋଥାଳ ଏପର୍ଯ୍ୟନ୍ତ ୧୪୧ ଥର ରକ୍ତଦାନ ଓ ପ୍ଲେଟଲେଟ୍ ଦାନ କରି ଅନେକ ଅସହାୟ ଓ ଗୁରୁତର ରୋଗୀଙ୍କ ଜୀବନ ରକ୍ଷାରେ ସହାୟତା କରିଛନ୍ତି। ତାଙ୍କର ଏହି ଅତୁଳନୀୟ ସେବା ମନୋଭାବ ଓ ମାନବିକତା ପାଇଁ ସେ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଅନେକ ଥର ସମ୍ମାନିତ ହୋଇଛନ୍ତି। ରକ୍ତର କୌଣସି ବିକଳ୍ପ ନାହିଁ। ଜଣେ ରକ୍ତଦାତାଙ୍କ ଛୋଟିଆ ପ୍ରୟାସ ଅନ୍ୟ ଜଣଙ୍କ ପାଇଁ ନୂଆ ଜୀବନର ଆଶା ହୋଇପାରେ। ଡ଼ଃ ନିରୋଜଙ୍କ ଏହି ନିରନ୍ତର ସେବା ଯୁବପିଢ଼ିଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା ଓ ଉଦାହରଣ ହୋଇ ରହିବ।
