ବାରିପଦା; ରାଜଧାନୀ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସରେ ପୁଣି ସକ୍ରିୟ ହୋଇଛି ନିଶା କାରବାର ଗ୍ୟାଙ୍ଗ । ଜଣେ ଅସୁସ୍ଥ ଯାତ୍ରୀଙ୍କୁ ଖାଦ୍ୟରେ ନିଶା ଦେଇ ସର୍ବସ୍ୱ ଲୁଟିନେବା ସହ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଛାଡ଼ି ପଳାଇଛି ଦୁର୍ବୃତ୍ତ । ଦୁର୍ବୃତ୍ତ ତାଙ୍କୁ ଖାଦ୍ୟ ଓ ପାନୀୟରେ ନିଶା ଦେଇ ସୁନା ମୁଦି, ମୋବାଇଲ ଓ ଟଙ୍କା ପର୍ସ ଲୁଟି ନେଇଥିବା ବେଳେ ଯୁବକ ଜଣକ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାର ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯ଟା ୩୫ ମିନିଟରେ ଭୁବନେଶ୍ୱର ଜୟଗୁରୁ କାଉଣ୍ଟରରୁ ସଂକଳ୍ପ ନାମକ ବସରେ ଉକ୍ତ ଯାତ୍ରୀ ଜଣକ ବାଲେଶ୍ୱର ଜିଲ୍ଲା ସୋର ଯିବା ପାଇଁ ବସିଥିଲେ । ସେ ପୂର୍ବରୁ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବାରୁ ଶାରୀରିକ ଭାବେ ଦୁର୍ବଳ ଥିଲେ । ମଧ୍ୟପ୍ରଦେଶରୁ ତାଙ୍କ ପିଛା କରୁଥିବା ଜଣେ ଅଜଣା ଯୁବକ, ଯିଏକି ଦୀଘାର ଏକ ହୋଟେଲରେ କାମ କରୁଥିବା କହି ବିଶ୍ୱାସ ଜନ୍ମାଇଥିଲା ଏବଂ ତାଙ୍କ ସହ ସମାନ ବସରେ ଚଢ଼ିଥିଲା । ଯାତ୍ରା ସମୟରେ ଉକ୍ତ ଯୁବକ ଲିଙ୍କରୋଡ଼ ନିକଟରେ ବସରୁ ଓହ୍ଲାଇ ଅମୂଲ କୁଲ ଓ ସୁଗରଫ୍ରୀ ବିସ୍କୁଟ କିଣି ଆଣି ଅସୁସ୍ଥ ଯାତ୍ରୀଙ୍କୁ ଖାଇବାକୁ ଦେଇଥିଲା । ଖାଦ୍ୟ ଖାଇବାର କିଛି ସମୟ ପରେ, ମଙ୍ଗୁଳି ନିକଟରେ ସେ ସମ୍ପୂର୍ଣ୍ଣ ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କୁ ରାତି ପ୍ରାୟ ଗୋଟାଏ ରୁ ଦୁଇଟା ମଧ୍ୟରେ ସୋରରେ ଓହ୍ଲାଇବାର ଥିଲା, କିନ୍ତୁ ଅଚେତ ଅବସ୍ଥା ଦେଖି ନିଶାଗ୍ରସ୍ତ ମନେକରି ବସ କର୍ମଚାରୀ ତାଙ୍କୁ ସାରସକଣା ପର୍ଯ୍ୟନ୍ତ ନେଇଯାଇଥିଲେ ଏବଂ ଫେରିବା ବାଟରେ ବାରିପଦାରେ ଛାଡ଼ି ଦେଇଥିଲେ । ପରବର୍ତ୍ତୀ ସମୟରେ ଅଚେତ ଅବସ୍ଥାରେ ସେ ଜଣେ ଅଟୋ ଚାଳକଙ୍କ ସହାୟତାରେ ନିଜ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁର୍ବୃତ୍ତ ମାନେ ତାଙ୍କଠାରୁ ନଗଦ ୨୦ରୁ ୨୫ ହଜାର ଟଙ୍କା, ମୋବାଇଲ ଫୋନ ଓ ସୁନା ମୁଦି ଲୁଟି ନେଇଥିବାର ଜଣାପଡ଼ିଛି । ଡାକ୍ତରଙ୍କ କହିବାନୁଯାୟୀ, ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ୨୪ ଘଣ୍ଟା ଅବଜରଭେସନରେ ରଖାଯାଇଛି ଏବଂ ଆବଶ୍ୟକ ପଡ଼ିଲେ କଟକ ସ୍ଥାନାନ୍ତର କରାଯାଇପାରେ ବୋଲି କହିଛନ୍ତି । ଘଟଣାକୁ ନେଇ ଯୁବକଙ୍କ କକା ଅକ୍ଷୟ ରଞ୍ଜନ ଦାସ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଯାତ୍ରୀ ବସରେ ଚଢ଼ିବା ପରେ ତାଙ୍କ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ବସ କର୍ତ୍ତୃପକ୍ଷଙ୍କ ଉପରେ ଥାଏ । ବାଲେଶ୍ୱର ପାଖରେ ଯୁବକ ଅଚେତ ଥିବା ଜାଣିବା ସତ୍ତ୍ୱେ ବସ କର୍ମଚାରୀ କାହିଁକି ପୋଲିସକୁ ଖବର ଦେଲେ ନାହିଁ କିମ୍ବା ଡାକ୍ତରଖାନାରେ ଭର୍ତ୍ତି କଲେ ନାହିଁ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବସ ମାଲିକ ଓ କର୍ମଚାରୀଙ୍କ ଏଭଳି ବେପରୁଆ ମନୋଭାବ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲୁଟେରାଙ୍କୁ ତୁରନ୍ତ ଧରିବା ପାଇଁ ପରିବାର ତରଫରୁ ପ୍ରଶାସନ ନିକଟରେ ଦାବି କରାଯାଇଛି ।
