ପୁରୀ: ଏକ ଦାବି, ଏକ ସଂକଳ୍ପ ଏବଂ ଅହିଂସାକୁ ଅସ୍ତ୍ର କରି ନିରନ୍ତର ଆଗକୁ ବଢ଼ୁଛି ପୁରୀବାସୀଙ୍କ ସଚେତନତା ପଦଯାତ୍ରା। ଆଜି ଏହି ଶାନ୍ତିପୂର୍ଣ୍ଣ ଅଭିଯାନ ୧୫୯ତମ ଦିନରେ ପହଞ୍ଚିଛି। ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ପୂର୍ବପରି ମହାପ୍ରଭୁଙ୍କ ଦର୍ଶନର ସୁବିଧା ସହ ଏକ ସ୍ଥାୟୀ, ସ୍ୱତନ୍ତ୍ର ଓ ସମ୍ମାନଜନକ ବ୍ୟବସ୍ଥା କରାଯିବା ଦାବିରେ ଏହି ଯାତ୍ରା ଜାରି ରହିଛି। ଗତ ୧ ଏପ୍ରିଲରୁ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଏବେ ପୁରୀର ଜନମାନସରେ ଏକ ନିରନ୍ତର ଦାବିର ସ୍ୱର ହୋଇଛି। ଶ୍ରୀଜଗନ୍ନାଥଙ୍କ ସହ ପୁରୀବାସୀଙ୍କ ସମ୍ପର୍କ କେବଳ ଦୈନନ୍ଦିନ ଦର୍ଶନରେ ସୀମିତ ନୁହେଁ; ଏହା ସହରର ପରମ୍ପରା, ଜୀବନଚର୍ଯ୍ୟା ଓ ଭାବାବେଗ ସହ ଗଭୀର ଭାବେ ଜଡ଼ିତ। ତେଣୁ ଏହି ଦାବିକୁ ନେଇ ସତ୍ୟାଗ୍ରହୀମାନେ ଦୀର୍ଘ ସମୟ ଧରି ଶାନ୍ତିପୂର୍ଣ୍ଣ ଭାବେ ନିଜ ସ୍ୱର ଉଠାଇ ଆସୁଛନ୍ତି। ଆଜି ମଧ୍ୟ ଭକ୍ତ ସାଲବେଗ ପୀଠରେ ସତ୍ୟାଗ୍ରହୀମାନେ ଏକତ୍ରିତ ହୋଇଥିଲେ।

ସେଠାରୁ ପଦଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଯାଇ ପତିତପାବନଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରି ପୁରୀବାସୀଙ୍କ ଦାବିର ଶୀଘ୍ର ସମାଧାନ ପାଇଁ ଆଶୀର୍ବାଦ ଲୋଡ଼ାଯାଇଥିଲା। ସତ୍ୟାଗ୍ରହୀ ପଦଯାତ୍ରୀସ୍ପଷ୍ଟ କରିଛନ୍ତି ଯେ ଏହି ସଂଘର୍ଷ କୌଣସି ଦଳ, ନେତା କିମ୍ବା ବ୍ୟକ୍ତି ବିରୋଧୀ ଅଭିଯାନ ନୁହେଁ। ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା କରି ନିଜ ଅଧିକାର ପାଇଁ ସ୍ୱର ଉଠାଇବା ହିଁ ଏହାର ଉଦ୍ଦେଶ୍ୟ। ସତ୍ୟ, ଅହିଂସା ଓ ଧୈର୍ଯ୍ୟକୁ ଆଧାର କରି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଯାତ୍ରା ଜାରି ରଖିବାକୁ ସତ୍ୟାଗ୍ରହୀମାନେ ସଂକଳ୍ପବଦ୍ଧ। ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, ୧୫୯ ଦିନ ଧରି ଆମେ ଶାନ୍ତିର ସହିତ ଆମର କଥା ସରକାର ଓ ସମାଜ ସମ୍ମୁଖରେ ରଖୁଛୁ। ଆମେ କାହାର ବିରୋଧୀ ନୁହେଁ। ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ସରକାର ସମ୍ବେଦନଶୀଳ ହୋଇ ସ୍ଥାୟୀ ସମାଧାନର ବାଟ ଖୋଲନ୍ତୁ।

ସମାଧାନ ନ ଆସିବା ପର୍ଯ୍ୟନ୍ତ ଆମର ଅହିଂସାପୂର୍ଣ୍ଣ ପଦଯାତ୍ରା ଅବ୍ୟାହତ ରହିବ।ରବିବାର କାର୍ଯ୍ୟକ୍ରମରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ମନୋରଞ୍ଜନ ରଣସିଂହ, ଅରୁଣା ପଟ୍ଟନାୟକ, ଭାରତୀ ମହାନ୍ତି, ମମତା ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ଜଗଦାନନ୍ଦ ରାୟ, ସନ୍ତୋଷ ସେନାପତି, ବାପିନା ସାମନ୍ତରାୟ, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗ ଦେଇଥିଲେ। ୧୫୯ ଦିନର ଏହି ଯାତ୍ରା ଏବେ ଏକ ଦୃଢ଼ ସଂକଳ୍ପର ପ୍ରତୀକ। ପାଦ ଥକିପାରେ, ସମୟ ଲମ୍ବିପାରେ, କିନ୍ତୁ ଅଧିକାର ଓ ସମ୍ମାନ ପାଇଁ ଉଠିଥିବା ସ୍ୱର ଥମିବ ନାହିଁ। ପୁରୀବାସୀଙ୍କ ଦାବିର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଅହିଂସାର ଯାତ୍ରା ଚାଲିଥିବ। ୧୫୯ ଦିନର ସଂକଳ୍ପ ଅଧିକାର ପାଇଁ ଅହିଂସା, ସମ୍ମାନ ପାଇଁ ସତ୍ୟାଗ୍ରହ।
