ଜୟପୁର: କୋରାପୁଟ ଜିଲ୍ଲାର ଦାମନଜୋଡିର ନାଲକୋରେ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଅନେକ ଯୁବକଙ୍କୁ ଠକିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଦଶମନ୍ତପୁର ଥାନା ଅନ୍ତର୍ଗତ କୋଟରାମ୍ବୋ ଗ୍ରାମର ସୁବାଷ ମୁଦୁଲି (୨୫)। ପୋଲିସ ଅନୁଯାୟୀ, ମଙ୍ଗଳବାର ଦିନ କୋରାପୁଟ ଟାଉନ୍ ଥାନା ରେ ସୁନ୍ଦୁରୁ ସିରିକା ଏକ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ସୁବାଷ ମୁଦୁଲି ଦାମନଜୋଡିର ନାଲକୋର କର୍ମଚାରୀ ଭାବରେ ନିଜକୁ ପରିଚୟ ଦେଇ ଚାକିରି ପ୍ରଲୋଭନ ଦେଖାଇଥିଲେ। ସେ ସୁନ୍ଦୁରୁ ସିରିକାଙ୍କଠାରୁ ୧୪,୦୦୦ ଟଙ୍କା, ଲାଣ୍ଡୁ ସିରିକାଙ୍କଠାରୁ ୮,୦୦୦ ଟଙ୍କା, ଜଗନ୍ନାଥ ସାନ୍ତାଙ୍କଠାରୁ ୧୦,୦୦୦ ଟଙ୍କା, ଉଦୟ ସାନ୍ତାଙ୍କଠାରୁ ୫,୦୦୦ ଟଙ୍କା, ରାଜେନ୍ଦ୍ର ମହାନନ୍ଦିଆଙ୍କଠାରୁ ୩,୦୦୦ ଟଙ୍କା ଏବଂ ପିତର ସାନ୍ତାଙ୍କଠାରୁ ୬୬,୦୦୦ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ସେ ଚାକିରି ଦେଇନଥିଲେ କିମ୍ବା ସେମାନଙ୍କ ଫୋନ୍ କଲ୍ ପାଇଁ ଉତ୍ତର ଦେଇ ନଥିଲେ। ତଦନ୍ତ ସମୟରେ, ଏହା ନିଶ୍ଚିତ ହୋଇଥିଲା ଯେ ମୁଦୁଲି ୨୦୨୧ ମସିହାରେ ବିକାଶ ବିଦ୍ୟାଳୟରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରିଥିଲେ। ସେବେଠାରୁ, ସେ ରାୟଗଡ଼ାର ନାଲକୋ, ଦାମନଯୋଡି ଏବଂ ଟିକ୍ରି ପ୍ଲାଣ୍ଟରେ ଚାକିରି ପ୍ରତିଶ୍ରୁତି ଦେଇ ଯୁବକମାନଙ୍କୁ ପ୍ରଲୋଭିତ କରିଆସୁଛନ୍ତି। ସେ ୬୦ ରୁ ଅଧିକ ଲୋକଙ୍କୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଠକିଛନ୍ତି ବୋଲି ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି । ପୋଲିସ ତାଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଏବଂ ଏକ ଏଟିଏମ୍ କାର୍ଡ ଜବତ କରିଛି। ଅଭିଯୁକ୍ତ ସୁବାଷ ମୁଦୁଲିଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି ।
