କଟକ : ଦୁର୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା ମହୀଶୂର ପୁଲିସ । ଚୌଦ୍ୱାର ଜେଲ୍ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜାକୁ ରିମାଣ୍ଡରେ ନିଆଯାଇଛି । ମହୀଶୂର ସୁନା ଦୋକାନ ଲୁଟ୍ ଘଟଣାରେ ପଚରାଉଚରା କରିବ ପୁଲିସ। ଚୌଦ୍ୱାର ଜେଲ୍ରୁ ଫେରାର୍ ହୋଇ କର୍ଣ୍ଣାଟକ ମହୀଶୂର ଅଞ୍ଚଳର ଏକ ଗହଣା ଦୋକାନରେ କଳାକନା ବୁଲାଇଥିବା ବିହାରୀ ଅପରାଧୀ ରାଜା ସାହାଣୀ ପାଇଁ ବଢ଼ିଲା ଅଡ଼ୁଆ । ଗହଣା ଦୋକାନ ଲୁଟ୍ ମାମଲାରେ ଅଭିଯୁକ୍ତକୁ ଜେରା କରିବା ପାଇଁ କର୍ଣ୍ଣାଟକ ରାଜ୍ୟକୁ ନେବା ଲାଗି ମହୀଶୂର ପୁଲିସ କରିଥିବା ରିମାଣ୍ଡ ଆବେଦନକୁ କଟକ ଜେଏମ୍ଏଫ୍ସି-୧ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଆଜି ଅଭିଯୁକ୍ତକୁ ମହୀଶୂର ପୁଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୁକ୍ତ ରାଜାକୁ ମହୀଶୂର ପୁଲିସ ଚୌଦ୍ୱାର ଜେଲ୍?ରୁ ଆଣି ଡାକ୍ତରୀ ପରୀକ୍ଷା ନିରୀକ୍ଷା କରାଇବା ପରେ ନିଜ ରାଜ୍ୟକୁ ନେଇଯିବ ବୋଲି ସୂଚନା ମିଳିଛି । ଜେରା ସାରି ଆସନ୍ତା ୧୫ ତାରିଖରେ ପୁଣି ରାଜାକୁ ମହୀଶୂର ପୁଲିସ ଆଣି କୋର୍ଟରେ ହାଜର କରାଇବ ବୋଲି କଟକ କମିସନରେଟ୍ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ ଚୌଦ୍ୱାର ଜେଲ୍?ରୁ ରାଜା ଚମ୍ପଟ ମାରିବା ଘଟଣାର ତଦନ୍ତ କରୁଥିବା କମିସନରେଟ ପୁଲିସ ଜେଲ୍ର ଆଉ କିଛି କର୍ମଚାରୀଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ଦୁଇ ବିହାରୀ ଅପରାଧୀ ଫେରାର୍ ହେବା ଘଟଣାରେ ଜେଲ୍?ର କର୍ମଚାରୀଙ୍କ ସହ ଜେଲ୍?ରେ ବିଭିନ୍ନ ମରାମତି କାମରେ ନିୟୋଜିତ ଶ୍ରମିକଙ୍କର ସନ୍ଦେହଜନକ ଭୂମିକା ରହିଥିବା ଚର୍ଚ୍ଚା ହେଉଛି । ଜେଲ୍ ଭିତରେ କାମ କରୁଥିବା ଶ୍ରମିକଙ୍କ ହାତରେ ଅଭିଯୁକ୍ତ ବିହାରୀ ଅପରାଧୀ ଲୁହା କଟର ମଗାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ଏସବୁ କାର୍ଯ୍ୟରେ ଜେଲ୍ କର୍ମଚାରୀମାନଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ଏମିତିକି ରାଜା ସାହାଣୀ ଜେଲ୍?ର କିଛି କର୍ମଚାରୀଙ୍କୁ ଆପ୍ୟାୟିତ କରିଥିବାର ମଧ୍ୟ ସୂଚନା ମିଳିଛି । ଅଭିଯୁକ୍ତ ବିହାରୀ ଅପରାଧୀମାନେ ଫେରାର୍ ହେବା ପଛରେ ଜେଲ୍ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଆରମ୍ଭରୁ ଯେଉଁ ଆଶଙ୍କା କରାଯାଉଥିଲା ତାହାର ଗୁମର ଖୋଲିବାକୁ ଯାଉଛି । ରାଜାକୁ ଜେରାରୁ ମିଳିଥିବା ତଥ୍ୟ ପ୍ରମାଣକୁ କମିସନରେଟ୍ ପୁଲିସ ଜେଲ୍ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବ । ଅନ୍ୟପକ୍ଷରେ ରାଜାକୁ ମହୀଶୂର ପୁଲିସ ୭ ଦିନିଆ ରିମାଣ୍ଡରେ ନେଇ ଫେରିବା ପରେ ପୁଣି ତାକୁ ଚୌଦ୍ୱାର ଜେଲ୍?ରେ ଛାଡ଼ିବ । ଜେଲ୍?ର କେତେକ କର୍ମଚାରୀଙ୍କ ସହ ରାଜାର ଯୋଗସୂତ୍ର ଭଲ ଥିବାରୁ ସୁରକ୍ଷା ଦୃଷ୍ଟିରୁ ରାଜାକୁ ଚୌଦ୍ୱାରରେ ରଖିବା ପାଇଁ ଜେଲ୍ କର୍ତ୍ତୃପକ୍ଷ ଆଉ ଚାହୁଁନାହାନ୍ତି । ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତକୁ ବ୍ରହ୍ମପୁର ସର୍କଲ ଜେଲ୍?କୁ ସ୍ଥାନାନ୍ତର କରାଇବା ପାଇଁ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ ଗତ ସୋମବାରଠାରୁ କୋର୍ଟରେ ଆବେଦନ କରିଛନ୍ତି । ମହୀଶୂରରୁ ଅଭିଯୁକ୍ତ ଫେରିବା ମଧ୍ୟରେ କୋର୍ଟରୁ ଅନୁମତି ମିଳିଯିବ ବୋଲି ଜେଲ୍ ବିଭାଗର ଜଣେ ଅଧିକାରୀ କହିଛନ୍ତି । ଚୌଦ୍ୱାର ଜେଲ୍?ରୁ ଫେରାର ହୋଇ ପରେ ପୁଲିସ ହାତରେ ଧରାପଡ଼ିଥିବା ଅନ୍ୟତମ ବିହାରୀ ଅଭିଯୁକ୍ତ ମଧୁକାନ୍ତ ଏବେ ଭୁବନେଶ୍ୱର ଝାରପଡ଼ା ଜେଲ୍?ରେ ବନ୍ଦୀ ରହିଛି ।
