ବାରିପଦା /କରଞ୍ଜିଆ ; କରଞ୍ଜିଆ ଥାନା ପୁଲିସ,ମୋବାଇଲ ଚୋରି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଇନ ଅନୁଯାୟୀ ଅଦାଲତକୁ ଚାଲାଣ କରିଛି। କେସ୍ ନଂ-୩୨୩/୨୬ ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୩୦୩(୨), ୩୧୩, ୩୧୭(୨), ୩୧୭(୪) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି।ପୁଲିସ ପକ୍ଷରୁ ଜବତ ସାମଗ୍ରୀ ମଧ୍ୟରେ ୩୨ଟି ମୋବାଇଲ ଫୋନ, ୧୩ଟି ମୋବାଇଲ ଫୋନ କଭର, ୨ଟି ବ୍ୟାଟେରୀ ଏବଂ ଓଡି-୦୯-ଜେ-୬୩୮୩ ନମ୍ବରର ଗୋଟିଏ ବଜାଜ୍ ପଲସର ଏନ୍ଏସ୍-୨୦୦ ମୋଟରସାଇକେଲ ରହିଛି।ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖଡ଼ିବେଡ଼ା ଗ୍ରାମର ରାଜୁ ଓରଫ ରାଜକିଶୋର ମହାନ୍ତ (୨୫), କରଞ୍ଜିଆ ଥାନା ଅଙ୍କୁରା ୱାର୍ଡ ନଂ-୧୫ର ସୋନୀ କରୁଆ (୩୦), ପାଟଣା ଥାନା ଗୋରାସ ଗ୍ରାମର ରାହୁଲ ଓରଫ ଦୀପୁନ ସେଠୀ (୨୬), ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଭଗବାନପୁର ଥାନା ଇଶ୍ୱରପୁର ଗ୍ରାମର ଏସ୍.କେ. ରଫିବୁଲ (୨୭) ଏବଂ କରଞ୍ଜିଆ ଥାନା ଗଡ଼ସାହି ୱାର୍ଡ ନଂ-୧୪ର ପାପୁନୁ ଓରଫ ଅମିତ ବେହେରା (୨୪)।ପୁଲିସ ତଦନ୍ତରେ ଏହି ଅଭିଯୁକ୍ତମାନଙ୍କର ଚୋରି ମୋବାଇଲ କାରବାର ସହ ସମ୍ପୃକ୍ତି ଥିବା ଜଣାପଡ଼ିଥିବା ରିପୋର୍ଟରୁ ସୂଚନା ମିଳିଛି। ମୋବାଇଲ ଚୋରି ଘଟଣାର ତଦନ୍ତ ସମୟରେ ଚୋରି ମୋବାଇଲ କିଣିଥିବା ଅଭିଯୋଗରେ ଦୁଇଜଣ ମୋବାଇଲ ବ୍ୟବସାୟୀଙ୍କୁ ପୁଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସେମାନେ ହେଲେ ଅଭିନନ୍ଦନ ମୋବାଇଲ ସପ୍ର ମହମ୍ମଦ ଦାନିଶ ଏବଂ ଆଲମ ମୋବାଇଲ କେୟାରର ମେହବୁବ ଆଲମ। ତଦନ୍ତରେ ସେମାନେ କିଛି ମୋବାଇଲ ଫୋନ କିଣିଥିବା ଜଣାପଡ଼ିଥିବା କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି। ଜବତ ହୋଇଥିବା ୩୨ଟି ମୋବାଇଲ ଫୋନ ମଧ୍ୟରୁ ଏପର୍ଯ୍ୟନ୍ତ ୬ଟି ମୋବାଇଲର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରାଯାଇଛି। ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ପରେ ଖୁବଶୀଘ୍ର ଚିହ୍ନଟ ହୋଇଥିବା ମୋବାଇଲଗୁଡ଼ିକ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଘଟଣାରେ ଚୋରି ମୋବାଇଲର କ୍ରୟବିକ୍ରୟ ସହ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଓ ଅନ୍ୟ ମୋବାଇଲର ମାଲିକାନା ଚିହ୍ନଟ ସହିତ ଘଟଣାରେ ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଜାରି ରଖିଛି।
